ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତିକୁ ଆଖି ଆଗରେ ରଖି ଇପିଏଫ ଆଇନରେ ସରକାର ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଉଭୟ ସଂସ୍ଥା (ନିଯୁକ୍ତିଦାତା) ଏବଂ କର୍ମଚାରୀମାନେ ସୁବିଧା ପାଇବେ ବୋଲି ସରକାର ଆଶା ରଖିଛନ୍ତି। ତେଣୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ଏହାଦ୍ୱାରା କର୍ମଚାରୀମାନେ ଅଧିକ ଦରମା ଘରକୁ ନେଇପାରିବେ। ନିଯୁକ୍ତଦାତାଙ୍କ ଚାପ ମଧ୍ୟ ହ୍ରାସ ପାଇବ।
ଆତ୍ମ ନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ ଭାରତ ସରକାରଙ୍କ ପକ୍ଷରୁ ଇପିଏଫ ଓ ଏମପି ଆଇନ, ୧୯୫୨ ଅନୁଯାୟୀ, ବାଧ୍ୟତାମୂଳକ ଇପିଏଫ ଯୋଗଦାନକୁ ୧୨% ରୁ ୧୦%କୁ ହ୍ରାସ କରାଯାଇଛି।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ଉଦ୍ୟୋଗ କିମ୍ବା ପ୍ରତିଷ୍ଠାନ କ୍ଷେତ୍ରରେ ହ୍ରାସ ପାଇଥିବା ଏହି ଦର ଲାଗୁ ହେବ ନାହିଁ। ଏହି ପ୍ରତିଷ୍ଠାନଗୁଡ଼ିକ ମୂଳ ଦରମା ଓ ମହଙ୍ଗା ଭତ୍ତାର ୧୨% ଯୋଗଦାନ ଜାରି ରଖିବେ।
ଆହୁରି ପଢ଼ନ୍ତୁ
ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଲାଭ ନେଇଥିବା ସଂସ୍ଥାଗୁଡ଼ିକ ମଧ୍ୟ ଏହି ଦର ହ୍ରାସର ଲାଭପାଇବେ ନାହିଁ। କାରଣ ଏସବୁ ସଂସ୍ଥା ପାଇଁ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ୧୨% ଲେଖାଏଁ ଯୋଗଦାନ ଭାର କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ କେବଳ ତିନି ମାସ ପାଇଁ।
ମୂଳ ଦରମା ଏବଂ ମହଙ୍ଗା ଭତ୍ତାରେ ଇପିଏଫ ଯୋଗଦାନ ଦରକୁ ୧୨% ରୁ ୧୦%କୁ ହ୍ରାସ ଫଳରେ ୪.୩ କୋଟି କର୍ମଚାରୀ ଓ ୬.୫ ଲକ୍ଷ ନିଯୁକ୍ତିଦାତା ଲାଭ ପାଇବେ। କରୋନା ସଙ୍କଟ ବେଳେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ଏହାଦ୍ୱାରା ଅଧିକ ଆର୍ଥିକ ଲାଭ ପାଇପାରିବ। କର୍ମଚାରୀମାନେ ଅଧିକ ଦରମା ଘରକୁ ନେଇପାରିବେ। ନିଯୁକ୍ତଦାତାଙ୍କ ଚାପ ମଧ୍ୟ ହ୍ରାସ ପାଇବ।