କରୋନା ଲଢ଼େଇରେ ଆମେ ନିଶ୍ଚୟ ଜିତିବୁ: କପିଲ୍ ଦେବ


ନୂଆଦିଲ୍ଲୀ: କରୋନା ଲଢ଼େଇରେ ଏବେ ସାରା ଭାରତ ଏକଜୁଟ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଏବେ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହି ଲକଡାଉନକୁ ସମସ୍ତେ ସମର୍ଥନ ମଧ୍ୟ କରିଛନ୍ତି। ଏବେ ଏଥିରେ ନିଜକୁ ସାମିଲ୍ କରିଛନ୍ତି ଭାରତକୁ ବିଶ୍ୱକପ୍ ଜିତାଇଥିବା ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ। କପିଲ୍ ଦେଶବାସୀଙ୍କୁ ଲକଡାଉନ୍ ସମୟରେ ନିଜ ନିଜର ଘରେ ରହିବାକୁ ଅପିଲ୍ କରିଛନ୍ତି। କପିଲଙ୍କ ମତରେ କରୋନା ଭାଇରସ୍ ଭଳି ମହାମାରୀ ସମୟରେ ଘରେ ରହିବା ଦ୍ୱାରା ମାନବଜାତି ପାଇଁ ଜୀବନରେଖା ସଦୃଶ ହୋଇଛି। ୧୯୮୩ରେ ଭାରତକୁ ବିଶ୍ୱ ଚାମ୍ପିୟନ୍ କରାଇଥିବା କପିଲ୍ କହିଛନ୍ତି, ଏହି ମାରାତ୍ମକ ଭାଇରସ୍ ଏବେ ସାରା ବିଶ୍ୱରେ ହଜାର ହଜାର ସଂଖ୍ୟକ ଜୀବନ ନେଇ ସାରିଲାଣି। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଆମକୁ ଅତିକମରେ ଘରେ ରହିବାକୁ ପଡ଼ିବ। ଭାରତରେ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି।
୬୧ ବର୍ଷୀୟ କପିଲ୍ ଆହୁରି କରିଛନ୍ତି, ଲକଡାଉନକୁ ଆମେ ସକାରାତ୍ମକ ଭାବେ ନେଇପାରିବା। ଏହି ସ୍ଥିତିକୁ ସ୍ୱୀକାର କରିବା ପାଇଁ ସମସ୍ତେ ନିଜକୁ ଚ୍ୟାଲେଞ୍ଜ କିଛି ନା କିଛି ଦେବା ଦରକାର। ଆପଣଙ୍କ ଘରେ ମଧ୍ୟ ଏକ ଦୁନିଆ ଅଛି, ଆଉ ତାହା ହେଉଛି ପରିବାର। ନିଜକୁ ମନୋରଞ୍ଜନ କରାଇବା ପାଇଁ ପାଖରେ ପୁସ୍ତକ, ଟିଭି ଓ ସଂଗୀତ ଉପଲବ୍ଧ ରହିଛି। ଯଦି ଏସବୁ ଦ୍ୱାରା ଆପଣ ନିଜକୁ ମନୋରଞ୍ଜନ କରିପାରିଲେ ନାହିଁ, ତାହେଲେ ସବୁଠାରୁ ଭଲ ହେବ ନିଜ ପରିବାର ସହ ବସନ୍ତୁ ଏବଂ ନିଜ ସୁଖଦୁଃଖ ଆଲୋଚନା କରନ୍ତୁ।
ଆହୁରି ପଢ଼ନ୍ତୁ
ବିଶ୍ୱର ଅନ୍ୟତମ ମହାନ ଅଲରାଉଣ୍ଡର ଭାବେ ପରିଚିତ କପିଲ୍ କହିଛନ୍ତି, ଘରେ ରହିବା ଦ୍ୱାରା ମୁଁ ଅନେକ କାମ କରିପାରୁଛି। ମୁଁ ନିଜ ଘରକୁ ଝାଡ଼ୁ ମାରିବା ସହ ବଗିଚାକୁ ସଫା କରିବାରେ ସମୟ ବିତାଉଛି। ମୋର ଛୋଟିଆ ବଗିଚା ଏବେ ମୋର ନୂଆ ଗଲଫ କୋର୍ସ। ସବୁଠାରୁ ବଡ଼ କଥା ହେଉଛି ମୁଁ ଅଧିକ ସମୟ ମୋ ପରିବାର ସହ ବିତାଉଛି, ଯାହାକୁ ମୁଁ ଗତ କିଛି ବର୍ଷ ହେଲା ଅଧିକ ମିସ୍ କରୁଥିଲି। ବର୍ତ୍ତମାନ ମୋ ପାଖରେ ପ୍ରଚୁର ସମୟ ଥିବାରୁ ଏଥିରେ ମୁଁ ପୂରା ପରିବାର ପାଇଁ ରୋଷେଇ କରିପାରୁଛି। ତେବେ ଏସବୁ ମୁଁ ଇଂଲଣ୍ଡରେ ରହୁଥିବା ବେଳେ ଶିଖିଥିଲି, ଯେଉଁଠାରେ ମୋ ପତ୍ନୀ ରୋମି ମୋତେ ବହୁତ ସହଯୋଗ କରୁଥିଲେ।
କପିଲ୍ ଆହୁରି କହିଛନ୍ତି, ଏଭଳି ଏକ କଠିନ ସମୟରେ ଲୋକେ ଅଧିକ ମଜଭୁତ୍ ହେବେ। ଲୋକେ ସ୍ୱଚ୍ଛତାକୁ ଶିକ୍ଷା ଭାବେ ଗ୍ରହଣ କରିଛନ୍ତି। ଏହାଛଡ଼ା ଲୋକେ ଏବେ ନିଜ ହାତ ନିଜେ ଧୋଇବା ମଧ୍ୟ ଶିଖିଯିବେ। ଏପରିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଏବଂ ପରିସ୍ରା କରିବାରୁ ଦୂରେଇ ରହିବେ। ତେଣୁ ଏହି ଲକଡାଉନ୍ ଆମକୁ ସ୍ୱଚ୍ଛତାର ଭଲ ପାଠ ପଢ଼ାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
କରୋନା ବିରୋଧରେ ଭାରତର ଲଢ଼େଇକୁ ନେଇ କପିଲ୍ କହିଛନ୍ତି, ମୁଁ ସର୍ବଦା ସକାରାତ୍ମକ ଚିନ୍ତାଧାରା ଉପରେ ବିଶ୍ୱାସ କରେ। କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ୍ ଶତକ ମାରିବା ପରେ ଶୂନରେ ମଧ୍ୟ ଆଉଟ୍ ହୋଇଥାଏ। ଠିକ୍ ସେହିପରି ଜଣେ ବୋଲର ନିଜର ଶ୍ରେଷ୍ଠ ସ୍ପେଲ୍ ପକାଇବା ପରେ ୱିକେଟଶୂନ୍ୟ ରହିଥାଏ। ତେଣୁ କରୋନା ଠିକ୍ ସେହିଭଳି। କରୋନା ହୁଏତ ଏବେ ଜିତୁଛି, କିନ୍ତୁ ପରିଶେଷରେ ତା’ର ପରାଜୟ ସୁନିଶ୍ଚିତ ବୋଲି କପିଲ୍ କହିଛନ୍ତି।