
ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୧/୨୦୨୧ : ରନ୍ଧନ ଗ୍ୟାସ ବୁକିଂ କରିବା ପରେ ଏହାକୁ ପାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଯେଉଁଦିନ ଗ୍ରାହକ ବୁକିଂ କରିବେ ସେହିଦିନ ସେମାନଙ୍କୁ ତାହା ମିଳିଯିବ । ଭାରତୀୟ ତୈଳ ନିଗମ (ଆଇଓସିଏଲ୍) ପକ୍ଷରୁ ଏଭଳି ଏକ ପରିକଳ୍ପନା କରାଯାଇଛି । କମ୍ପାନି ତତ୍କାଳ ଏଲ୍ପିଜି ସେବା ନାମରେ ଏକ ଯୋଜନା କରିଛି । ଆସନ୍ତା କିଛି ମାସ ମଧ୍ୟରେ ଏପରିକି ଫେବ୍ରୁଆରି ୧ ତାରିଖ ସୁଦ୍ଧା ଏହି ଯୋଜନା ଦେଶରେ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି । ଗୋଟିଏ ସିଲିଣ୍ଡର ଥିବା ଗ୍ରାହକଙ୍କ ପାଇଁ ଏହି ଯୋଜନା ଉପଲବ୍ଧ ହେବ । ପ୍ରତ୍ୟେକ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅତିକମ୍ରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହର କିମ୍ବା ଜିଲ୍ଲାକୁ ଏଥିପାଇଁ ଚିହ୍ନଟ କରାଯିବ ଯେଉଁଠି ଏହି ସେବା ଆରମ୍ଭ ହେବ । ଉକ୍ତ ଯୋଜନାରେ ଗ୍ରାହକଙ୍କୁ ଗ୍ୟାସ୍ ବୁକିଂ କରାଯିବାର ୩୦ରୁ ୪୫ ମିନିଟ ମଧ୍ୟରେ ଗ୍ୟାସ ଭର୍ତ୍ତି ସିଲିଣ୍ଡର ପହଞ୍ଚାଇବା ପାଇଁ ଯୋଜନା ରଖିଛି । ଉକ୍ତ ଯୋଜନାକୁ ଏବେ କମ୍ପାନି ଚୂଡ଼ାନ୍ତ ରୂପ ଦେଉଛି । କମ୍ପାନି ଏହାର ସେବାର ମାନ ଓ କେନ୍ଦ୍ର ସରକାରଙ୍କ ‘ଇଜ୍ ଅଫ୍ ଲିଭିଂ’ ରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନେବ । ଏଥିସହିତ ଅନ୍ୟ ପ୍ରତିଯୋଗୀ କମ୍ପାନିଙ୍କ ଠାରୁ ଏହି ଯୋଜନା ଆଇଓସିଏଲ୍କୁ ଆଗୁଆ କରିବ ।ଇଣ୍ଡିଆନ ଅଏଲ୍ ଇଣ୍ଡେନ ବ୍ରାଣ୍ଡ୍ରେ ଏଲ୍ପିଜି ଯୋଗାଇ ଦେଉଛି । ଦେଶର ମୋଟ ୨୮କୋଟି ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୧୪ କୋଟି ଗ୍ରାହକ ଆଇଓସିଏଲ୍ର । ତତ୍କାଳ ଏଲ୍ପିଜି ସେବା ପାଇଁ ବର୍ତ୍ତମାନର ଡିଲର ନେଟୱାର୍କକୁ ଉପଯୋଗ କରାଯିବ । ତେବେ ଏହା ଉପରେ ଅଧିକ ବିଚାରବିମର୍ଶ ଚାଲିଛି । ଏପରିକି ଯଦି ଗ୍ରାହକଙ୍କୁ କିଛି ପ୍ରିମିୟମ ବା ଅଧିକ ଅର୍ଥ ଦେବାକୁ ପଡ଼ିବ କି ନାହିଁ ତାହା ଉପରେ ଆଲୋଚନା ଚାଲିଛି । ଆଇଓସିଏଲ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନା ସମ୍ପୂର୍ଣ୍ଣ ନୂଆ ନୁହେଁ । ୨୦୧୦ ଜୁଲାଇରେ ମୁରଲୀ ଦେଓରା ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ପ୍ରିଫର୍ଡ ଟାଇମ୍ ଏଲ୍ପିଜି ଡେଲିଭରି ସ୍କିମ୍ ଆରମ୍ଭ ହୋଇଥିଲା । ସେହି ଯୋଜନାରେ ଗ୍ରାହକଙ୍କୁ ସକାଳ ୭ଟାରୁ ରାତି ୯ଟା ଭିତରେ ରିଫିଲ୍ ହୋଇଥିବା ଗ୍ୟାସ ଦାବି କରିବା ସୁବିଧା ରହିଥିଲା । ଏଥିପାଇଁ ଡେଲିଭରି ପିଛା ୨୦ରୁ ୫୦ ଟଙ୍କା ନିଆଯାଉଥିଲା । ପ୍ରଥମେ ଏହି ଯୋଜନା ପ୍ରତି କର୍ମଜୀବୀ ଦମ୍ପତି ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏହି ସ୍କିମ ଆଗକୁ ବଢ଼ି ପାରିଲା ନାହିଁ ବୋଲି ଜଣେ ଏଲ୍ପିଜି ଡିଲର କହିଛନ୍ତି ।