ରାଜ୍ୟ

କରୋନା ଯୋଦ୍ଧାଙ୍କୁ ମନ୍ତ୍ରିପରିଷଦର ପ୍ରଶଂସା, ଗଣମାଧ୍ୟମ ବାଦ୍ ପଡ଼ିଲା

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀର ମୁକାବିଲା ଓ ପରିଚାଳନା ପାଇଁ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ‘କରୋନା ଯୋଦ୍ଧା’ମାନଙ୍କ କଠିନ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଇ ଆଜି ମନ୍ତ୍ରିପରିଷଦରେ ଏକ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଛି। ତେବେ ରାଜ୍ୟ ସରକାରଙ୍କ ‘କରୋନା ଯୋଦ୍ଧା’ ତାଲିକାରେ ଗଣମାଧ୍ୟମ ସ୍ଥାନ ପାଇନାହିଁ। ଯଦିଓ କରୋନା ବିପତ୍ତିରେ ପ୍ରତିକୂଳ ପରିସ୍ଥିତିରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ଓ ତା’ର ପ୍ରତିନିଧିମାନେ ମୁଖ୍ୟ ସେତୁ ଭାବେ କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୋନା ପରିଚାଳନା ସମ୍ପର୍କରେ ମନ୍ତ୍ରିପରିଷଦ ସଦସ୍ୟଙ୍କୁ ସେ ଅବଗତ କରାଇଥିଲେ। ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମନ୍ତ୍ରିପରିଷଦ ବୈଠକରେ ଏକ ପ୍ରସ୍ତାବ ଆଗତ କରି କହିଥିଲେ ଯେ, ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟ ‘କରୋନା’ ମହାମାରୀ ମୁକାବିଲା ଦିଗରେ ଆଗଧାଡ଼ିରେ ରହି ନିଷ୍ଠାପର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ନିଃସ୍ୱାର୍ଥପର କାର୍ଯ୍ୟକୁ ମନ୍ତ୍ରିପରିଷଦ ସ୍ୱୀକାର କରୁଛନ୍ତି ଓ ସେମାନଙ୍କୁ ଧନ୍ୟବାଦ ଜଣାଇଛୁ। ଏହି ପ୍ରସ୍ତାବରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପାରା ମେଡିକାଲ କର୍ମଚାରୀ, ଆଶା, ଏଏନଏମ, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ସଫେଇ କର୍ମଚାରୀ, ପୁଲିସ, ଅଗ୍ନିଶମ କର୍ମଚାରୀ, ହୋମଗାର୍ଡ, ନଗର ଉନ୍ନୟନ ବିଭାଗର ୱାର୍ଡସ୍ତରର ଅନୁଷ୍ଠାନ ଓ ପଞ୍ଚାୟତିରାଜ ଲୋକ ପ୍ରତିନିଧି ବିଶେଷକରି ସରପଞ୍ଚଙ୍କୁ କରୋନା ବିପର୍ଯ୍ୟୟ ସମୟରେ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଧନ୍ୟବାଦ ଦିଆଯାଇଥିଲା। ଏହାସହିତ କରୋନା ଲଢ଼େଇରେ ସହଯୋଗ କରିଥିବା ଯୋଗୁ ଜନପ୍ରତିନିଧି, ସରକାରୀ କର୍ମଚାରୀ, ଶିକ୍ଷକ, ସିଭିଲ ସୋସାଇଟି ସଦସ୍ୟମାନଙ୍କ କାର୍ଯ୍ୟକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରିପରିଷଦ ପ୍ରଶଂସା କରିଛନ୍ତି।

ତେବେ କରୋନା ମହାମାରୀର ଲଢ଼େଇରେ ରାଜ୍ୟ ମନ୍ତ୍ରିପରିଷଦ ସମସ୍ତଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିବାବେଳେ ଦିନରାତି କଠିନ ପରିଶ୍ରମ କରି ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ ଓ ପ୍ରସାରଣ କରୁଥିବା ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ମନ୍ତ୍ରିପରିଷଦର କୌଣସି ସଦସ୍ୟ ଆଗ୍ରହ ଦେଖାଇ ନାହାନ୍ତି। ‘କୋଭିଡ-୧୯ ବା କରୋନା’ର ଏପର୍ଯ୍ୟନ୍ତ କୌଣସି ଔଷଧ ବା ଟୀକା ବାହାରି ନଥିବାବେଳେ ସଚେତନତା ମାଧ୍ୟମରେ ଲୋକଙ୍କୁ ଏହି ମହାମାରୀଠୁ ଦୂରେଇ ରଖିବାରେ ଗଣମାଧ୍ୟମ ହିଁ କାର୍ଯ୍ୟ କରୁଛି। କିନ୍ତୁ ପରିତାପର ବିଷୟ, ଗଣମାଧ୍ୟମ ପ୍ରତିନିଧିଙ୍କ ତ୍ୟାଗ ଓ କାର୍ଯ୍ୟକୁ ସ୍ୱୀକୃତି ଦେବା ଦୂରରେ ଥାଉ ରାଜ୍ୟ ମନ୍ତ୍ରିପରିଷଦ ଧନ୍ୟବାଦ ବି ଜଣାଇ ନାହାନ୍ତି।

[ad_2]
Show More
Back to top button