କରୋନା ଯୋଗୁ ବେଙ୍ଗଲରେ ୩୩ ନୁହେଁ ୧୦୫ ମୃତ!

କୋଲକାତା: ମହାମାରୀ କରୋନା ଭାଇରସ ଯୋଗୁ ପଶ୍ଚିମବଙ୍ଗରେ ୧୦୫ ଜଣଙ୍କ ମୃତ୍ୟୁ ହୋଇଥିବା ନୂଆ ତଥ୍ୟରୁ ସାମ୍ନାକୁ ଆସିଛି। ହେଲେ ରାଜ୍ୟ ସରକାର ଏହାକୁ ୩୩ରେ ସୀମିତ ରଖିଛନ୍ତି। କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଶରୀରରେ ଯଦି ଆଉ କୌଣସି ରୋଗ ନଥିବ ଏବଂ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇବେ, ତା’ହେଲେ ପଶ୍ଚିମବଙ୍ଗ ସରକାର ଏହାକୁ କରୋନା ଜନିତ ମୃତ୍ୟୁସଂଖ୍ୟା ତାଲିକାରେ ସାମିଲ କରୁଛନ୍ତି।

ଅର୍ଥାତ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନେ ଯଦି ମଧୁମେହ, ଉଚ୍ଚ ରକ୍ତଚାପ ଓ ନିଃଶ୍ୱାସ ନେବେରେ କଷ୍ଟ ଅନୁଭବ କରି ପ୍ରାଣ ହରାନ୍ତି, ତା’ହେଲେ ଏହାକୁ ସରକାର କରୋନା ଜନିତ ମୃତ୍ୟୁ ତାଲିକାରେ ସାମିଲ କରୁନାହାନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ବାରମ୍ବାର ପଶ୍ଚିମବଙ୍ଗ ସରକାରଙ୍କୁ ତାଗିଦ କରୁଛନ୍ତି।

ଆହୁରି ପଢ଼ନ୍ତୁ

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ୩୩ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଆଉ ୭୨ ଜଣ କରୋନା ରୋଗୀ ପ୍ରାଣ ହରାଇଥିଲେ ହେଁ ସେମାନଙ୍କ ଶରୀରରେ ଅନ୍ୟାନ୍ୟ ରୋଗ ରହିଥିଲା। ତେଣୁ ଏହାକୁ ସରକାର କରୋନା ଜନିତ ମୃତ୍ୟୁ ତାଲିକାରେ ସାମିଲ କରିନାହାନ୍ତି।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଦେଶରେ ଏଯାଏ ପ୍ରାଣ ହରାଇଥିବା ୧୦୭୫ ଜଣଙ୍କ ମଧ୍ୟରୁ ୭୮% କରୋନା ରୋଗୀଙ୍କ ଶରୀରରେ ଅନ୍ୟାନ୍ୟ ରୋଗ ରହିଥିଲା। ତଥାପି କେନ୍ଦ୍ର ସରକାର ଏହାକୁ କରୋନା ଜନିତ ମୃତ୍ୟୁସଂଖ୍ୟାରେ ସାମିଲ କରିଛନ୍ତି। ହେଲେ ପଶ୍ଚିମବଙ୍ଗ ସରକାରଙ୍କ ନିୟମ ଏହାକୁ ଉଲ୍ଲଙ୍ଘନ କରିଛି।

ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୧୧ ଜଣ ଲୋକ ପ୍ରାଣ ହରାଇବାରୁ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୩ରେ ପହଞ୍ଚି ଯାଇଛି। ରାଜ୍ୟରେ ଆକ୍ରାନ୍ତ ହୋଇଥିବା ୫୭୨ ଜଣଙ୍କ ମଧ୍ୟରୁ ୧୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

[ad_2]
Exit mobile version