
ସତ୍ୟଶିଖା (ଭୁବନେଶ୍ୱର) ୨୩/୧୧/୨୦୨୦ : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ୨୪ ତାରିଖରେ ‘ନିଭାର’ ବାତ୍ୟା ରୂପ ନେବ ବୋଲି ଅନୁମାନ କରାଯାଉଛି । ଯାହା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସଷ୍ଟି ହୋଇ ୩୦ରେ ଲଘୁଚାପର ରୂପ ନେବ ବୋଲି ଅନୁମାନ କରିଛନ୍ତି ପାଣିପାଗବିତ୍ ।କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ, ସମ୍ଭାବ୍ୟ ‘ନିଭାର’ ବାତ୍ୟାର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ସେହିପରି ପବନର ଆଶଙ୍କା ନାହିଁ । କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ଓ ବର୍ଷା ସହିତ ଶୀତ ମଧ୍ୟ କମିବ। ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ବ୍ୟତୀତ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରଭାବ ପଡିପାରେ । ନଭେମ୍ବର ୨୬ ତାରିଖରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ । ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭାରୀ ବର୍ଷାର ସମ୍ଭାବନମା ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳରେ ସ୍ୱଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷାର ହୋଇପାରେ। ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼ ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ ବୋଲି । ତେବେ ୨୬ ଓ ୨୭ ତାରିଖରେ ତାପମାତ୍ରା କମିବା କାରଣରୁ ଅଧିକାଂଶ ଅଞ୍ଚଳରେ ପାଗ କୋହଲା ରହିବ । ୨୪ରୁ ଶୀତ କମି ୨୯ରେ ପୁଣି ଶୀତ ବଢ଼ିବ । ତେବେ ଡିସେମ୍ବର ୩ ଆଗରୁ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ଏତତ୍ ବ୍ୟତୀତ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ମଙ୍ଗଳବାର ରାଜ୍ୟରେ ଶୁଖିଲା ପାଗ ରହିବ । ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।