କରୋନା ଭୟରେ ହଜିଗଲା ମାନବିକତା; ଶବ ସତ୍କାର କରୁନାହାନ୍ତି ଗ୍ରାମବାସୀ


ବାଲେଶ୍ୱର(ସତ୍ୟଶିଖା): କରୋନା ଭୟରେ ହଜିଗଲା ମାନବିକତା । କାଲିଠାରୁ ଗାଁରେ ମୃତଦେହ ପଡ଼ି ରହିଥିବା ବେଳେ ସତ୍କାର କରିବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ । କରୋନା ସଂକ୍ରମଣ ଭୟରେ ଗାଁଲୋକେ ଶବ ସତ୍କାର ପାଇଁ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା ।
ଆହୁରି ପଢ଼ନ୍ତୁ
ଗତ ମାର୍ଚ୍ଚ ୩୦ରେ କୋଲକାତାରୁ ଶ୍ରୀଧର ଦଳାଇ ନାମକ ବ୍ୟକ୍ତି ଘରକୁ ଫେରିଥିଲେ। ହଠାତ୍ ତାଙ୍କ ଦେହ ଖରାପ ହେବାରୁ ସେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଜଣ୍ଡିସ ହୋଇଛି ବୋଲି କହିଥିବା ପରିବାର ଲୋକେ କହିଛନ୍ତି ।
ତେବେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଗତକାଲି ପୁଣି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ମୃତଦେହ ଗାଁକୁ ଫେରି ଆସିଥିବା ବେଳେ ସତ୍କାର ହୋଇ ନ ପାରି ପଡ଼ି ରହିଛି। ଗ୍ରାମବାସୀ ସହଯୋଗ କରୁ ନ ଥିବାରୁ ସ୍ୱାମୀଙ୍କ ଶବ ସତ୍କାର ହୋଇପାରୁ ନ ଥିବା କୋହଭରା କଣ୍ଠରେ ଶ୍ରୀଧରଙ୍କ ପତ୍ନୀ କହିଛନ୍ତି। ପୁଲିସ୍ କିମ୍ବା ପ୍ରଶାସନ ତରଫରୁ କେହି ଘଟଣାସ୍ଥଳକୁ ଆସି ନ ଥିବା ବେଳେ ଘଟଣାର ସମାଧାନ ହୋଇପାରିନି।