କରୋନା ପାଇଁ ଆଡ୍‌ଭାଇଜରି ଜାରି କଲା କ୍ରାଇମ୍‌ବ୍ରାଞ୍ଚ୍

ଭୁବନେଶ୍ୱର (ସତ୍ୟଶିଖା): କରୋନା ମହାମାରୀ ସଂପର୍କରେ ମିଥ୍ୟା ଖବର ଓ ଗୁଜବ ପ୍ରଚାର ଭଳି ଘଟଣାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟ ଦେବାକୁ ମନା କରାଯାଇଛି। ସେହିଭଳି କରୋନା ନେଇ ଫେକ୍ ୱେବ୍‌ସାଇଟ୍ ଓ ଇ-ମେଲ୍ ତିଆରି ନ କରିବାକୁ କୁହାଯାଇଛି। କରୋନା ନାଁରେ ନକଲି ଭ୍ୟାକ୍‌ସିନ୍ ଓ ସାନିଟାଇଜର ବିକ୍ରି ନ କରିବାକୁ କୁହାଯାଇଛି। କରୋନା ସ୍ପେଶାଲ୍ ଅଫର୍ ନାଁରେ କୌଣସି ଜିନିଷକୁ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇପାରିବ ନାହିଁ। ସେହିପରି ହ୍ୱାଟ୍‌ସ ଆପ୍ ଓ ଟେଲିଗ୍ରାମ୍‌ରେ କରୋନା ସଂପର୍କରେ ତଥ୍ୟ ଦେବାକୁ ମନା କରାଯାଇଛି। ସାଇବର ଠକେଇରୁ ଯଥା ସମ୍ଭବ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହା ସହିତ ବିଶ୍ୱସନୀୟ ସଂସ୍ଥା ତଥା ସରକାରୀ ସ୍ତରର ନିର୍ଭୁଲ ତଥ୍ୟ ଅନୁକରଣ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁ ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଓ ୨ ଜଣ ସୁସ୍ଥ ହୋଇ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି। ଆଉ ଏସବୁ ଭିତରେ ରାଜ୍ୟ ସରକାର ଲକ୍‌ଡାଉନ୍ ସୀମାକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କେନ୍ଦ୍ର ସରକାର ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଏହାକୁ ମାସ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହା ସହିତ ଲକ୍‌ଡାଉନ୍ ଅବଧି ବଢ଼ାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ ପାଲଟି ଯାଇଛି।

[ad_2]
Exit mobile version