କୋଲକାତା: ମହାମାରୀ କରୋନା ଭାଇରସ ଯୋଗୁ ଆଇ ଲିଗର ବଳକା ୨୮ଟି ମ୍ୟାଚ୍କୁ ବାତିଲ କରାଯାଇଛି। ମ୍ୟାଚ୍ ଗୁଡ଼ିକ ବାତିଲ ହେବାରୁ ମୋହନ ବାଗାନଙ୍କୁ କମିଟି ପକ୍ଷରୁ ଚାମ୍ପିୟନ ଘୋଷଣା କରାଯାଇଛି। କରୋନା ପାଇଁ ମେ’ ୩ ତାରିଖ ଯାଏ ସାରା ଦେଶରେ ଲକଡାଉନ ଜାରି କରାଯାଇଛି।
ଲକଡାଉନ ଯୋଗୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଇଲିଗ ପ୍ୟାନେଲ ପକ୍ଷରୁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ବସିଥିଲା। ଏହି ସମୟରେ ପ୍ୟାନେଲ ପକ୍ଷରୁ ସର୍ବଭାରତୀୟ ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟିକୁ ଆଇ ଲିଗ୍ ଟୁର୍ଣ୍ଣାମେଣ୍ଟକୁ ଚାଲୁ ନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ
ପ୍ୟାନେଲ ଟୁର୍ଣ୍ଣାମେଣ୍ଟର ବଳକା ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେବାରୁ ୨୦୧୯-୨୦ ହିରୋ ଆଇ ଲିଗ ଚାମ୍ପିୟନ ଭାବେ ମୋହନ ବାଗାନର ନାଁକୁ ଘୋଷଣା କରାଯାଇଛି।
ମାର୍ଚ୍ଚ ୧୪ରେ କରୋନା ଭାଇରସକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏହି ସମୟରେ ମୋହନ ବାଗାନ ୧୬ଟି ମ୍ୟାଚ୍ରୁ ୩୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲ ଶୀର୍ଷରେ ରହିଥିଲା। ଏହା ପଛକୁ ଇଷ୍ଟ ବେଙ୍ଗଲ ଓ ମିନରେଭା ପଞ୍ଜାବ ୨୩ ପଏଣ୍ଟ ଲେଖାଏ ପାଇଥିବା ବେଳେ ରିୟଲ କଶ୍ମୀର ୧୫ ମ୍ୟାଚ୍ରୁ ୨୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା।