

ସତ୍ୟଶିଖା (ଭୁବନେଶ୍ୱର) ୧୫/୦୧/୨୦୨୧ : କ୍ରମାଗତ ଦ୍ଵିତୀୟ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଦର ଲିଟର ପିଛା ୨୫ ପଇସା ଏବଂ ଡିଜେଲ ଦର ୨୭ ପଇସା ବଢ଼ିଛି । ଫଳରେ ଏହି ଦର ଯଥାକ୍ରମେ ୮୫ ଟଙ୍କା ୩୬ ପଇସା ଏବଂ ୮୧ ଟଙ୍କା ୫୮ ପଇସାରେ ପହଞ୍ଚି ନୂଆ ରେକର୍ଡ କରିଛି । ପୂର୍ବରୁ ଗତ ୬ ତାରିଖରେ ପେଟ୍ରୋଲ ଦର ବଢ଼ିବା ପରେ ଏଥିରେ କିଛିଦିନର ବିରାମ ଲାଗିଥିଲା । କିନ୍ତୁ ଗତ ଦୁଇ ଦିନରେ ପେଟ୍ରୋଲ ଲିଟର ପିଛା ୭୫ ପଇସା ଏବଂ ଡିଜେଲ ଲିଟର ପିଛା ୮୪ ପଇସା ମହଙ୍ଗା ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଉଛି । କରୋନା ପ୍ରଭାବିତ ବିଶ୍ୱ ଅର୍ଥନୀତିରେ ସୁଧାର ଆସୁଥିବା କାରଣରୁ ତେଲ ଚାହିଦା ବଢ଼ିଛି । ଏଥିଯୋଗୁ ଅଶୋଧିତ ତେଲ ଦର ବୁଧବାର ବ୍ୟାରେଲ ପିଛା ୫୭ ଡଲାର ଟପିଛି । ଏହାର ପ୍ରଭାବ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ପଡ଼ୁଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତେଲ ଉପରୁ ବିପୁଳ ମାତ୍ରାରେ ଟିକସ ଆଦାୟ କରୁଛନ୍ତି । ଏହାକୁ ହ୍ରାସ କରିଲେ ତେଲ ଦର କମନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।