ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଘରେ ପଶିଲା କରୋନା। ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ତଥା ମୁଲାୟମଙ୍କ ପୁଅ ଅଖିଳେଶ ଯାଦବଙ୍କ ଦାଦା ପୁଅ ଭାଇ ତଥା ବନ୍ଦାୟୁଁର ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଯାଦବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦିନ ହେବ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କରୋନା ପରୀକ୍ଷା କରାଇଥିଲେ। ଏବେ ସେ ସଇଫାଇ ମେଡିକାଲ କଲେଜରେ ଚିକିତ୍ସାଧୀନ ରହିଛନ୍ତି।
ଜୁନ୍ ୧୧ ତାରିଖରେ ଧର୍ମେନ୍ଦ୍ର ଯାଦବ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ଜ୍ୱର ପାଇଁ ଔଷଧ ଖାଇଥିଲେ। ଏହାପରେ ଲକ୍ଷ୍ନୌରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ ଧର୍ମେନ୍ଦ୍ରଙ୍କ ଡ୍ରାଇଭରର କରୋନା ରେଜଲ୍ଟ ନେଗେଟିଭ୍ ରହିଛି। ଧର୍ମେନ୍ଦ୍ରଙ୍କ ପରିବାର ଲୋକଙ୍କର ମଧ୍ୟ କରୋନା ପରୀକ୍ଷା ହେବ ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
ନିକଟରେ ଧର୍ମେନ୍ଦ୍ର ଯାଦବ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଜ୍ୱରରେ ଆକ୍ରାନ୍ତ ଥିଲେ। ତେଣୁ ଆହ୍ଲାବାଦରେ କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ବିଭାଗ ସମୀକ୍ଷା କରୁଛନ୍ତି।
ମୁଲାୟମ ସିଂହ ଯାଦବଙ୍କ ଭାଇ ହେଉଛନ୍ତି ଅଭୟ ରାମ ଯାଦବ। ତାଙ୍କ ପୁଅର ନାମ ଧର୍ମେନ୍ଦ୍ର ଯାଦବ। ୨୦୦୪ରେ ସେ ବନ୍ଦାୟୁଁ ଲୋକସଭା ଆସନରୁ ବିଜୟୀ ହୋଇ ପ୍ରଥମ ଥର ସାଂସଦ ହୋଇଥିଲେ। ଏହାପରେ ସେ ୨୦୦୯ ଏବଂ ୨୦୧୪ରେ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ସେ ନିର୍ବାଚନରେ ହାରି ଯାଇଥିଲେ।