ରାଜନୀତି

ଜୀବିତ ସୁବାସ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କଳିକେଶ

ଭୁବନେଶ୍ୱର(ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କୁ ବିଜେଡିର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଯାହାକୁ ନେଇ ଏବେ ସୁବାସ ସମର୍ଥକ ଓ ବିଜେଡିରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିରର ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡିର ବରିଷ୍ଠ ନେତା କଳିକେଶ ସିଂହଦେଓ ଗତକାଲି (ଗୁରୁବାର) ରାତି ୯ଟା ୫୫ମିନିଟରେ ଟ୍ୱିଟ୍ କରି ଶ୍ରୀ ଚୌହାନଙ୍କ ମୃତ୍ୟୁକୁ ନେଇ ଦୁଃଖ ବ୍ୟକ୍ତ କରିବା ସହ ତାଙ୍କର ପରିବାରବର୍ଗ ପ୍ରତି ସମବେଦନା ଜଣାଇଥିଲେ। ଶ୍ରୀ ସିଂହଦେଓଙ୍କ ଏଭଳି ଟ୍ୱିଟ୍ ପରେ ତାଙ୍କର ସମର୍ଥକମାନେ ମଧ୍ୟ ଦଳୀୟ ହ୍ୱାଟସଅପ୍ ଗ୍ରୁପରେ ଶ୍ରୀ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଦେଇଥିଲେ। ନିଜ ଦଳର ଜଣେ ସହକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥାର ପ୍ରକୃତ ସ୍ଥିତି ନଜାଣି କିମ୍ବା ଜାଣିବାକୁ ପ୍ରୟାସ ନକରି ଶ୍ରୀ ସିଂହଦେଓ ବିଭ୍ରାନ୍ତିକର ଟ୍ୱିଟ୍ କରିବାକୁ ପଛାଇ ନଥିଲେ। ଶ୍ରୀ ଚୌହାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ କିଭଳି ଏପରି ଟ୍ୱିଟ୍ କଲେ ତାକୁ ନେଇ ଦଳୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅବଶ୍ୟ ପରେ ଏହି ଟ୍ୱିଟକୁ ଶ୍ରୀ ସିଂହଦେଓ ଡିଲିଟ୍ କରିଦେଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଚୌହାନ ଗତ କିଛିମାସ ଧରି ଅସୁସ୍ଥ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତ ୭ଦିନ ପୂର୍ବରୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ଆଜି ତାଙ୍କର ଜନ୍ମଦିନ ବୋଲି ଜଣାପଡ଼ିଛି।

[ad_2]
Show More
Back to top button