‘କରୋନା’ ନମୁନା : ୨ ମାସ ସୁଦ୍ଧା ଲାଗିବ ଆଉ ୩ଟି କୋଭାସ୍ ମେସିନ୍


ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଆସନ୍ତା ୨ମାସ ମଧ୍ୟରେ ରାଜ୍ୟରେ ଆଉ ୩ଟି ଉଚ୍ଚକ୍ଷମତା ସମ୍ପନ୍ନ କୋଭାସ୍ ମେସିନ୍ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଗୋଟିଏ କୋଭାସ ମେସିନ୍ କେବଳ ଆରଏମଆରସି ପରିସରରେ ଥିବାବେଳେ ଅନ୍ୟ ୩ଟି ମେସିନକୁ ବଲାଙ୍ଗିର, କୋରାପୁଟ ଓ ବାଲେଶ୍ୱରରେ ଥିବା ସରକାର ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥାପନ କରାଯିବ।
ଆଜି ଏ ସମ୍ପର୍କରେ ସୂଚନା ଦେଇ କୋଭିଡ-୧୯ ସାମଗ୍ରୀ କ୍ରୟ ଦାୟିତ୍ୱରେ ଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଏବେ ରାଜ୍ୟରେ କେବଳ ଗୋଟିଏ ବିଭାଗ କାମ କରୁଛି ତାହା ହେଉଛି ସ୍ୱାସ୍ଥ୍ୟ ବିଭାଗ । କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ସରକାର ଏବେ ସବୁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସବୁଠୁ ଖରାପ ସ୍ଥିତିରେ ୬ମାସ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ ରଖିବାକୁ ଦୃଷ୍ଟିରେ ରଖି ସରକାର ଏବେ କାର୍ଯ୍ୟ କରୁଛନ୍ତି । କୋଭିଡ-୧୯ ପରିଚାଳନା ନିମନ୍ତେ ଅର୍ଥ ବା ବଜେଟର କୌଣସି ସମସ୍ୟା ନାହିଁ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଦେବା ପାଇଁ ଯାହା ଉନ୍ନତ ସେବା ଓ ଭିତ୍ତିଭୂମି ସୁବିଧା କରିହେବ ତାହା ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିବା ସହ ଅସୀମିତ ବଜେଟ ବରାଦ କରିଛନ୍ତି।
ଆହୁରି ପଢ଼ନ୍ତୁ
ଶ୍ରୀ ଶର୍ମା କହିଛନ୍ତି ଯେ, ତାଙ୍କ ଟିମ୍ ମଧ୍ୟ ୩ଟି ବିଭାଗରେ ବିଭକ୍ତ ହୋଇ ମେଡିସିନ୍, ଉପକରଣ ଓ ପରୀକ୍ଷା କିଟ କ୍ରୟ ଓ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରୁଛି। ପ୍ରତ୍ୟେକ ଦିନ ଏନେଇ ସପ୍ଲାଏର,ଟ୍ରାନ୍ସପୋର୍ଟରଙ୍କ ସହ ଗ୍ରୁପ୍ କଲରେ ଆଲୋଚନା ହେଉଛି। ଆରଏମଆରସିକୁ ଗୋଟିଏ କୋଭାସ ମେସିନ୍ ଅଲଗା କାର୍ଯ୍ୟ ପାଇଁ ଆସିଥିଲା। କିନ୍ତୁ କରୋନା ସଂକ୍ରମଣ ବ୍ୟାପିବା ପରେ ଏହି ମେସିନକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଗୁରଗାଁଓ, ପୁନେ ଆଦିରୁ ଷ୍ଟେଟ୍ ପ୍ଲେନରେ ୨୨ଜଣ ଇଞ୍ଜିନିୟରଙ୍କୁ ଆଣି ୩ଦିନ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଗଲା। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ୫୦ହଜାର କିଟ୍ ବ୍ୟବସ୍ଥା କଲେ। ଏବେ ସେହି ମେସିନରେ ଦୈନିକ ଅଢ଼େଇ ହଜାର ନମୂନା ପରୀକ୍ଷା ହୋଇପାରୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଭଳି ଆହୁରି ୩ଟି ମେସିନ୍ ବଲାଙ୍ଗୀର,କୋରାପୁଟ ଓ ବାଲେଶ୍ୱର ମେଡିକାଲ କଲେଜରେ ସ୍ଥାପନ ହେବ। ଏହା ଆସନ୍ତା ୨ମାସ ମଧ୍ୟରେ ସ୍ଥାପନ ହେବାପରେ ସେଠାରେ ଆବଶ୍ୟକ ନମୂନା ପରୀକ୍ଷା ସମ୍ଭବପର ହୋଇପାରିବ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସରେ ଲଣ୍ଡନ,ଚୀନ ଓ ସିଙ୍ଗାପୁରରୁ ମଧ୍ୟ ଉନ୍ନତମାନର ଚିକିତ୍ସା ଉପକରଣ ଅଣାଯାଇ ପାରୁଛି। ତେଣୁ ଏବେ ସରକାରୀ କଳ ସମ୍ପୂର୍ଣ୍ଣ ଭାବେ କୋଭିଡ-୧୯ ପରିଚାଳନାରେ ବ୍ୟସ୍ତ ରହିଛି। ଲୋକଙ୍କ ସ୍ୱାସ୍ଥ୍ୟକୁ ସର୍ବୋପରି ପ୍ରାଥମିକତା ଦିଆଯାଉଛି। ତା’ହୋଇନଥିଲେ କୋଭିଡ-୧୯ ମୁକାବିଲା ପାଇଁ ଆବଶ୍ୟକ ଚିକିତ୍ସା ଉପକରଣ ଓ ସାମଗ୍ରୀ ଆଣିବା ନିମନ୍ତେ କୌଣସି ସରକାରୀ ଅଫିସରଙ୍କୁ ବ୍ଲାକ୍ ଚେକ୍ ଦେଇ କୋଲକାତା ପଠାଯାଇ ନଥାନ୍ତା। ଯାହାକି ସାଧାରଣତଃ ସରକାରୀ ବ୍ୟବସ୍ଥାରେ ହୋଇନଥାଏ। ଏବେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଅସ୍ୱାଭାବିକ ପରିସ୍ଥିତିରେ ସରକାର ଅସାଧାରଣ ନିଷ୍ପତ୍ତି ନେଉଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି।






