ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା : ଆଜି ହୋଇପାରେ ବଡ଼ଧରଣର ଖୁଲାସା


ସତ୍ୟଶିଖା(ଭୁବନେଶ୍ୱର )୨୧.୦୯ .୨୦୨୧: ଭାରତୀୟ ପ୍ରତିରକ୍ଷା ବିଭାଗର ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍ ଏବ˚ ଅନ୍ୟ କ୍ଷେପଣାସ୍ତ୍ର ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା ଚର୍ଚ୍ଚା ସାରାଦେଶରେ ଚହଳ ସୃଷ୍ଟି କରିଥିବାରୁ ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଗତକାଲି କ୍ରାଇମବ୍ରାଞ୍ଚରେ ପହଞ୍ଚିଛନ୍ତି ଭାରତୀୟ ବାୟୁସେନାର ତିନିଜଣିଆ ଟିମ୍ । କ୍ଷେପଣାସ୍ତ୍ର ସମ୍ପର୍କିତ ଯାନ୍ତ୍ରୀକ ଜ୍ଞାନକୌଶଳ ସ˚କ୍ରାନ୍ତ ତଥ୍ୟ ଚାନ୍ଦିପୁର ଆଇଟିଆର ୩ନମ୍ବର ଲଞ୍ଚ୍ପ୍ୟାଡ୍ରୁ ଗିରଫ ୫ ଅଭିଯୁକ୍ତ ପାକିସ୍ତାନକୁ ବିକ୍ରି କରିଥିବା ଯେଉଁ ଚର୍ଚ୍ଚା ସୃଷ୍ଟି କରିଥିଲା, ଏହାର ତଦନ୍ତ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଆରମ୍ଭ କରିଛନ୍ତି । ପାକିସ୍ତାନୀ ଏଜେଣ୍ଟ୍ ଲିଙ୍କରେ ଗିରଫ ୫ ଅଭିଯୁକ୍ତଙ୍କୁ ବାୟୁସେନାର ବରିଷ୍ଠ ଅଧିକାରୀମାନେ ମାରାଥନ୍ ଜେରା କରିଛନ୍ତି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ବି ସେମାନଙ୍କୁ ଜେରା କରିଛି । ଆଜି କ୍ରାଇମବ୍ରାଞ୍ଚ ବଡ଼ଧରଣର ଖୁଲାସା କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଚାନ୍ଦିପୁର ଆଇଟିଆର୍ର ୪ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ରବିବାରଠାରୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଥିବାବେଳେ ସୋମବାର ରିମାଣ୍ତ୍ର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ମୁଖ୍ୟତଃ ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ସମ୍ପର୍କ, ଟଙ୍କା କାରବାର ଓ ଅନ୍ୟ ସହଯୋଗୀଙ୍କ ବିଷୟରେ ତଥ୍ୟ ହାସଲ କରିଛି । ମୋଟାମୋଟି ଭାବେ ପାକିସ୍ତାନ ଆଇଏସ୍ଆଇ ଲିଙ୍କ୍ରେ ଆଇଟିଆରର ଏହି କର୍ମଚାରୀମାନେ ଫେସବୁକ୍ ମାଧ୍ୟମରେ ସମ୍ପର୍କ ଯୋଡ଼ିଥିଲେ। ପୂରା କାରବାର ଉତ୍ତରପ୍ରଦେଶର ହ୍ୟାଣ୍ତଲର ନିୟନ୍ତ୍ରଣ କରୁଥିଲା। ପାକିସ୍ତାନରୁ ଫୋନ୍ କଲ୍ ଓ ଟଙ୍କା ଉତ୍ତରପ୍ରଦେଶ ଆସୁଥିଲା । ଚାନ୍ଦିପୁର ଆଇଟିଆର୍ରୁ କେଉଁ ତଥ୍ୟ ଚୋରି କରିବାର ଅଛି, ସେ ସମ୍ପର୍କରେ ଉତ୍ତରପ୍ରଦେଶରୁ ଫୋନ୍ କରି ହ୍ୟାଣ୍ତଲର ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା। ଆଇଟିଆର୍ କର୍ମଚାରୀଙ୍କ ନିକଟକୁ ଟଙ୍କା ବି ସିଧାସଳଖ ପାକିସ୍ତାନରୁ ଆସିନାହିଁ । ଉତ୍ତରପ୍ରଦେଶର ହ୍ୟାଣ୍ତଲର ମାଧ୍ୟମରେ ଆସିଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ରିମାଣ୍ତ୍ର ତୃତୀୟ ଦିନରେ ଏମାନଙ୍କ ନିକଟକୁ ଟଙ୍କା କାରବାରର ଶୈଳୀ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନୀ ହ୍ୟାଣ୍ଡଲର୍ଙ୍କ ଜରିଆରେ ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ କିଛି ଟଙ୍କା ଆସିଥିବା ବେଳେ ଆଉ କିଛି ଟଙ୍କା ‘ସ୍ଲିପର୍ ସେଲ୍’ର ସଦସ୍ୟଙ୍କ ମାଧ୍ୟମରେ ଆସିଥିବା କ୍ରାଇମବ୍ରାଞ୍ଚ ଜେରା ସମୟରେ ଜାଣିବାକୁ ପାଇଛି ।