ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ ନିଲମ୍ୱିତ

କଶ୍ମୀର: ଜମ୍ମୁ କଶ୍ମୀରରେ କାର୍ଯ୍ୟରତ ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥଙ୍କୁ ନିଲମ୍ୱନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ନିକଟରେ ସେ ଜମ୍ମୁ କଶ୍ମୀରର ଡିଜିପିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଥିସହିତ ଅନେକ ପ୍ରସଙ୍ଗରେ ମୁହଁ ଖୋଲିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି।

ଗୃହ ମନ୍ତ୍ରାଳୟ ନିଲମ୍ୱନ ଆଦେଶରେ କହିଛି, ନିକଟରେ ବସନ୍ତ ରଥଙ୍କ ବ୍ୟବହାର ଏବଂ ବିଶୃଙ୍ଖଳିତ ଆଚରଣ ନଜରକୁ ଆସିଥିଲା। ଏହାପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ରାତିରେ ଗୃହ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଜାରି କରିଥିବା ସୂଚନା ରହିଛି। ଏବେ ତାଙ୍କୁ ଜମ୍ମୁ କଶ୍ମୀର ଛାଡ଼ି ନଯିବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଡିଜିପି ଦିଲବାଗ ସିଂହଙ୍କ ବିନା ପରାମର୍ଶରେ ସେ ବାହାରକୁ ଯାଇ ପାରିବେ ନାହିଁ ବୋଲି ମନ୍ତ୍ରାଳୟ କହିଛି।

ନିକଟରେ ଜମ୍ମୁ ଓ କଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଥିଲେ ୨୦୦୦ ମସିହାର ଏହି ଓଡ଼ିଆ ଆଇପିଏସ୍ ଅଫିସର୍। ସେ ଜମ୍ମୁର ଗାନ୍ଧିନଗର ପୁଲିସ୍ ଥାନାରେ ମୌଖିକ ଭାବରେ ଦିଲବାଗ୍ ସିଂଙ୍କ ନାଁରେ ଏଭଳି ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ

ଜୀବନ ପ୍ରତି ବିପଦ ଥିବା ସହ ସମ୍ମାନହାନୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବସନ୍ତ ରଥ। ନିଜ କାର୍ଯ୍ୟଶୈଳୀକୁ ନେଇ ବସନ୍ତ ସବୁବେଳେ ପରିଚିତ। ନିକଟରେ ସେ କଶ୍ମୀର ଛାତ୍ରଛାତ୍ରୀଙ୍କୁ କମ୍ପିଟେଟିଭ ପରୀକ୍ଷା ପାଇଁ ମାଗଣାରେ ବହି ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ।

ସେହିପରି ଜମ୍ମୁ କଶ୍ମୀରରେ ଆଇନଶୃଙ୍ଖଳା ନେଇ ସରକାର (ଧାରା ୩୭୦ ଉଚ୍ଛେଦ ପୂର୍ବରୁ) ଯେତେବେଳେ ହାତ ଟେକି ଦିଅନ୍ତି ସେଇଠି ଏହି ଓଡ଼ିଆ ଆଇପିଏସ ବସନ୍ତ ରଥ ଅନେକ ଥର ନିଜ ଦକ୍ଷତାର ପରିଚୟ ଦେଖାଇଛନ୍ତି। ସେ ରାସ୍ତା ଉପରେ ଚାଲିଲେ ଲୋକେ ସତର୍କ ହୋଇଯାଉଥିବା ନଜିର ରହିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ରାସ୍ତା ଉପରେ ସାବାଡ଼ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ପରିସରକୁ ଆସିଥିଲା।

ସୂଚନାଯୋଗ୍ୟ, ଫେବୃଆରିରେ ୯, ୨୦୧୮ରେ ବସନ୍ତ ରଥ ଜମ୍ମୁ-କାଶ୍ମୀରରେ ଟ୍ରାଫିକ୍‌ ଆଇଜି ଭାବରେ ନିଯୁକ୍ତ ହୋଇଥିଲେ। ଦାୟିତ୍ୱ ସମ୍ଭାଳିବା ପରେ ସେ ନିଜେ ରାସ୍ତାକୁ ଓହ୍ଲାଇ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲେ। ଥରେ ଏକ ପୋଲିସ୍‌ ଗାଡ଼ି ବିନା ନମ୍ବର ପ୍ଲେଟ୍‌ରେ ଚାଲୁଥିବାରୁ ରଥ ସେହି ଗାଡ଼ିକୁ ସିଜ୍‌ କରିବା ସହିତ ଜରିମାନା ମଧ୍ୟ ଲଗାଇଥିଲେ। ଯେଉଁ ପୁଲିସ୍‌ କର୍ମୀମାନେ ଭଲ କାର୍ଯ୍ୟ କରୁଥିଲେ ସେମାନଙ୍କୁ ସେ ପ୍ରଶଂସା କରୁଥିଲେ। ପିଲାମାନଙ୍କୁ ଚକୋଲେଟ୍‌ ବାଣ୍ଟି ଟ୍ରାଫିକ୍‌ର ନିୟମ ମଧ୍ୟ ଶିଖାଉଥିଲେ। ତାଙ୍କର ଏହି ଭିନ୍ନ ଧରଣର କାର୍ଯ୍ୟ ଶୈଳୀକୁ ଲୋକେ ଫଟୋ ଓ ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ। ଅନେକ ଲୋକ ତାଙ୍କୁ ସିଂଘମ ଓ ଦବଙ୍ଗ ସହିତ ତୁଳନା ମଧ୍ୟ କରୁଥିଲେ। ତାଙ୍କ ସପକ୍ଷରେ ନାରାବାଜି ମଧ୍ୟ କରୁଥିଲେ।

ଆହୁରି ପଢ଼ନ୍ତୁ



[ad_2]

Exit mobile version