ଅପରାଧରାଜ୍ୟ

ଆକାଶଙ୍କ ୩ଟି ଆକାଉଣ୍ଟରେ ୧୪.୭୭କୋଟି କାରବାର

ସତ୍ୟଶିଖା (ଭୁବନେଶ୍ୱର) ୦୨/୧୨/୨୦୨୦ : ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିର ଚେର୍ ଏସ୍‌ଆଇଟି ଖୋଜିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ବେଳେ ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କ ବେଆଇନ୍ ସମ୍ପତ୍ତିର ଆୟ ଓ ବ୍ୟୟର ଆକଳନ କରୁଛନ୍ତି । ଭିଜିଲାନ୍ସ ବିଭାଗ ଯେତିକି ଖୋଜୁଛି, ଅଭୟକାନ୍ତଙ୍କ ବେଆଇନ୍‌ ଅର୍ଥ କାରବାରର ପରିମାଣ ସେତିକି ବଢ଼ିବାରେ ଲାଗିଛି । ଶ୍ରୀ ପାଠକଙ୍କ ତାଙ୍କ ବେନାମୀ ସମ୍ପତ୍ତିର କାରବାର ପୁଅ ଆକାଶ ପାଠକ ନାମରେ ଏକାଧିକ ଆକାଉଣ୍ଟ ଖୋଲି କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି । ଆକାଶଙ୍କ ୩ଟି ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କାର କାରବାର ହୋଇଥିବା କୁହାଯାଉଛି । ସହିଦନଗର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ଆକାଶଙ୍କ ନାଁରେ ଥିବା ଖାତାରେ କେବଳ ୮କୋଟି ୪୦ ଲକ୍ଷ ଟଙ୍କା ଦେଣନେଣ ହୋଇଛି । ସେହିପରି ଆକାଶଙ୍କ ପଟିଆସ୍ଥିତ ଏଚ୍‌ଡିଏଫ୍‌ସି ଶାଖାରେ ୫୦ ଲକ୍ଷ ଟଙ୍କା ଜମା କରାଯାଇଛି । ଅଭୟକାନ୍ତଙ୍କର ଫର୍ଚ୍ୟୁନ୍‌ ଟାୱାରସ୍ଥିତ ଏସ୍‌ବିଆଇ ଶାଖାରେ ଦରମା ଆକାଉଣ୍ଟ ରହିଛି । ଏହି ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଜମା କରାଯାଇଛି । ଯାହା ଦରମା ବାଦ୍‌ ଜମା କରାଯାଇଛି । ସେହି ଆକାଉଣ୍ଟରେ ୮ ଲକ୍ଷ ୬୨ ହଜାର ଟଙ୍କାର ସ୍ଥାୟୀ ଜମା ରହିଛି ।

ଆକାଶଙ୍କ ନାମରେ ଭୁବନେଶ୍ୱର ଓ ପୁଣେରେ ଥିବା ଆକାଉଣ୍ଟରେ ୯ କୋଟି ୪୮ ଲକ୍ଷ ଟଙ୍କା ଜମା କରାଯାଇଥିବାବେଳେ ଅନ୍ୟ କାହା ଜମା ମାଧ୍ୟମରେ ୫ କୋଟି ୨୯ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । ତେବେ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କା ଆକାଶଙ୍କ ଆକାଉଣ୍ଟରେ କାରବାର ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଆକାଶଙ୍କ ନାମରେ କେଉଁଠାରେ ଏବଂ କେତୋଟି ଆକାଉଣ୍ଟ ରହିଛି ଏନେଇ ଭିଜିଲାନ୍ସ ବିଭାଗ ପ୍ରତ୍ୟେକ ବ୍ୟାଙ୍କକୁ ଚିଠି କରିଛି । ବର୍ତ୍ତମାନ ସୁଦ୍ଧା ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସିରେ ଆକାଉଣ୍ଟ ମିଳିଛି । ସେହିପରି ଏସ୍‌ଆଇଟିର ଟିମ୍‌ରେ ୩ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୩ ଇନ୍ସପେକ୍ଟରଙ୍କ ସହିତ ବ୍ୟାଙ୍କ ପରାମର୍ଶଦାତା, ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଓ ଫରେନ୍‌ସିକ୍‌ ଅଡିଟର ଆଦି ଏନେଇ ତଦନ୍ତ କରୁଥିବା ଜଣାପଡିଛି ।ଆକାଶ କେବଳ ପୁଣେରେ ମାସିକ ଲକ୍ଷାଧିକ ଟଙ୍କାର ଏକ ଫାର୍ମହାଉସ୍‌ ଭଡ଼ାରେ ନେଇଥିଲେ ତାହା ନୁହେଁ । ସେ ଭୁବନେଶ୍ୱରର ଏକ ଜୋତା ଦୋକାନରୁ ଥରକରେ ୫ ଲକ୍ଷ ଟଙ୍କାର ଜୋତା କିଣିଥିଲେ । ନିଜ ପାଇଁ, ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ପାଇଁ ରାଜଧାନୀର ନିର୍ଦିଷ୍ଟ ଏକ ନାମୀ ବ୍ରାଣ୍ଡର ଜୋତା ଦୋକାନରୁ ଏସବୁ କିଣିଥିଲେ। ଡିସେମ୍ବରରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଭାବି ପତ୍ନୀଙ୍କୁ ସେ ଅନେକ ଦାମୀ ଉପହାର ଦେଇଛନ୍ତି । ପ୍ରାୟ ୧.୮୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଭ୍ୟାନିଟି ବ୍ୟାଗ୍‌ ଆକାଶ ଉପହାର ଆକାରରେ ତାଙ୍କ ଭାବି ପତ୍ନୀଙ୍କୁ ଦେଇଛନ୍ତି । ସେହିପରି ପୋଷାକ ଓ ଗହଣା ଉପହାର ବି ଦେଇଥିବା ଜଣାପଡିଛି । ଏସବୁ ବିଲ୍‌କୁ ଭିଜିଲାନ୍ସ ଅଧିକାରୀ ଜବତ କରିଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଚାର୍ଟର ଫ୍ଲାଇଟ୍‌ରେ ବୁଲିବା ଏବେ ବାପପୁଅଙ୍କୁ ମହଙ୍ଗା ପଡ଼ିଛି। ଜନପଥର ୟୁନିଟ୍-୩ ସ୍ଥିତ ଓସିଏଚ୍‌ସି କ‌େ‌ମ୍ପ୍ଲକ୍ସରେ ଥିବା ସ୍କାଏ କିଙ୍ଗ ନାମକ ଟ୍ରାଭେଲ୍ସ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ତାଙ୍କର ୬୫,୧୬,୨୩୩ ଟଙ୍କା ବକେୟା ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହି ବକେୟା ଟଙ୍କା ଦେବା ଲାଗି ଶ୍ରୀ ଚୌଧୁରୀ କହିବାରୁ ଉଭୟ ବାପପୁଅ ତାଙ୍କୁ ଧମକ ଦେଇଥିଲେ ।

ଶ୍ରୀ ଚୌଧୁରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଲକ୍‌ଡାଉନ୍‌ ସମୟରେ ଆକାଶ ସ୍କାଏ କିଙ୍ଗକୁ ଇ-ମେଲ୍‌ ମାଧ୍ୟମରେ ଅନେକବାର ହୋଟେଲ୍‌ ଆଣ୍ଡ୍‌ ଚାର୍ଟର ଫ୍ଲାଇଟ୍‌ ବୁକିଂ କରିଥିଲେ । ଉକ୍ତ ଇ-ମେଲ୍‌ରେ ସେ ନିଜକୁ ଟାଟା ମୋଟର୍ସ ଲିମିଟେଡର ଏମ୍‌ଡି ଭାବେ ପରିଚୟ ଦେଇଥିଲେ । ଏପରିକି ଇ-ମେଲ୍‌ରେ ଟାଟା ମୋର୍ଟସର ଲୋଗୋକୁ ବ୍ୟବହାର କରିଥିଲେ । ନିଜର ଜାଲ ପରିଚୟ ପତ୍ର ଦେଇ ସେ ଅନେକ ଥର ବୁକିଂ କରିଥିଲେ । ଜୁନ୍‌ ସୁଦ୍ଧା ସେ ଅନେକ ଜାଲ୍‌ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍‌ ଓ ହୋଟେଲ୍‌ ବୁକ୍‌ କରିଥିଲେ । ଏସବୁ ବାବଦରେ ୨, ୭୮,୩୯,୦୮୭ ଟଙ୍କା ବିଲ୍‌ ହୋଇଥିଲା । ତେବେ ଆକାଶ ୨,୧୩,୨୨,୮୫୪ ଟଙ୍କା ବିଲ୍‌ ପୈଠ କରିଥିଲେ । ବକେୟା ବିଲ୍‌ ଦେବା ଲାଗି ଶ୍ରୀ ଚୌଧୁରୀ ଅନେକ ଥର ଯୋଗାଯୋଗ କରିଥିଲେ । ଏତେ ପରିମାଣର ଟଙ୍କା ବକେୟା ଥିବାରୁ ତାଙ୍କୁ ଆଉ ସେବା ନ ଦେବା ଲାଗି କୁହାଯିବାରୁ ଆକାଶ ତାଙ୍କୁ ପରିଣତି ଭଲ ହେବନାହିଁ ବୋଲି ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଶ୍ରୀ ଚୌଧୁରୀ ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଛନ୍ତି ।

Show More
Back to top button