ଗବେଷକଙ୍କ ପାଇଁ ଖୋଲିବ ପ୍ରୟୋଗଶାଳା
ସତ୍ୟଶିଖା (ଭୁବନେଶ୍ୱର) ୦୫/୧୨/୨୦୨୦ : ପିଏଚ୍ଡି, ଏମ.ଫିଲ୍ ଓ ପିଜି ପାଠ୍ୟକ୍ରମର ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ଲାବରୋଟାରି ଖୋଲିବ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ବିଭିନ୍ନ ବିଷୟରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ସୁବିଧା ଉପଲବ୍ଧ କରାଇବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ ନଭେମ୍ବର ୩୦ରେ ରାଜ୍ୟ ସରକାର ଡିସେମ୍ବର ମାସ ଲାଗି କରୋନା ଗାଇଡ୍ଲାଇନ୍ ଜାରି କରିଛନ୍ତି । ଯେଉଁଥିରେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ଉପରେ ନ୍ୟସ୍ତ କରାଯାଇଛି । ତାହାକୁ ଆଧାର କରି ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜର ଗବେଷଣାରତ ଛାତ୍ରଛାତ୍ରୀ ତଥା ରିସର୍ଚ୍ଚ ସ୍କଲାରଙ୍କ ଲାଗି ଲାବରୋଟାରି ସୁବିଧା ଉପଲବ୍ଧ କରାଯିବ । ଶିକ୍ଷାନୁଷ୍ଠାନଗୁଡ଼ିକ କୋଭିଡ୍-୧୯ କଟକଣା ସହ ଲାବରୋଟାରି ଖୋଲିବେ । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।
ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ସଜବାଜ
