ଆସୁଛି ବାତ୍ୟା ଅମ୍ଫାନ, ସୃଷ୍ଟି ହେଲା ଲଘୁଚାପ


ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ପାଗ ଧୀରେଧୀରେ ଅନୁକୂଳ ହେବାରେ ଲାଗିଛି। ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଘନଭୀତ ହୋଇ ବାତ୍ୟା ଅମ୍ଫାନର ରୂପ ନେବ। ଏହାପର ପ୍ରଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତା ୬ ତାରିଖ ଯାଏ ବର୍ଷ ହେବାର ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳେ ଲଘୁଚାପ ସୃଷ୍ଟି ହୋଇଛି। ତେବେ ଏହା ଜଳପଥରେ ହିଁ କିଛି ସମୟ ସ୍ଥିର ରହିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଜଳପଥରେ ଅଧିକ ଶକ୍ତି ସଞ୍ଚୟ କରି ସ୍ପଷ୍ଟ ଲଘୁଚାପରେ ପରିଣତ ହେବ। ସେହିପରି ଆଉ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ। ମେ’ ୫ ତାରିଖ ପର୍ଯ୍ୟନ୍ତ ଏହା ଭୀଷଣ ଅବପାତର ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଧୀରେଧୀରେ ଗତି କରିବ।
ଆହୁରି ପଢ଼ନ୍ତୁ
ଏହି ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହାକୁ ଅମ୍ଫାନ ଭାବେ ନାମିତ କରାଯିବ। ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଭାରତ କିମ୍ବା ଓଡ଼ିଶା ଉପରେ ପଡ଼ିବ ନାହିଁ। ଅମ୍ଫାନ ପୂର୍ବରୁ ୩ ତାରିଖରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଇଥିଲା। ହେଲେ ଏବେ ଏହା ୨ ଦିନ ବିଳମ୍ବ ଅର୍ଥାତ ମେ’୫ ରାତିରୁ ୬ ତାରିଖ ସକାଳ ମଧ୍ୟରେ ମିଆଁମାରରେ ଲ୍ୟାଣ୍ଡଫଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅମ୍ଫାଲ ପ୍ରଭାବରେ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ମେ’ ୩ରୁ ୬ ତାରିଖ ଯାଏ ବର୍ଷାର ସମ୍ଭାବନା ରହିଛି। ସେହିପରି ପବନର ବେଗ ଘଣ୍ଟା ୪୦ରୁ ୫୦ କିମି ରହିବାର ଆଶଙ୍କା ରହିଛି।
ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ୧ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ୨ରୁ ୫ ତାରିଖ ଯାଏ ଆଣ୍ଡାମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି।