ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ ୨୦ ତାରିଖ ସକାଳ ସୁଦ୍ଧା ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ। ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଥିବା ଲଘୁଚାପ ଅବପାତର ରୂପ ନେଇ ସାରିଥିବା ବେଳେ ଆଜି ବାତ୍ୟାର ରୂପ ନେଇପାରେ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଥିବା ବେଳେ ଆଉ ଟିକେ ପାଖକୁ ଆସିଲେ ପ୍ରକୃତ କେଉଁଠି ଛୁଇଁବ କହିହେବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ଏବେ ୨୦ କି.ମି ବେଗରେ ଗତି କରୁଥିବା ସମ୍ଭାବ୍ୟ ବାତ୍ୟାର ବେଗ ସ୍ଥଳଭାଗ ଛୁଇଁବା ବେଳେ ୧୫୦-୧୬୦ କି.ମି ହୋଇପାରେ ବୋଲି ଆକଳନ କରାଯାଉଛି। ତେବେ ବାତ୍ୟାର ପରିଧି ଅତି କମ୍ରେ ୫୦୦ କିମି ପରିବ୍ୟାପ୍ତ ହୋଇଥାଏ। ଏମିତିକି ବାତ୍ୟାର କୋର୍ ଅଞ୍ଚଳଟି ୧୦୦ କିମି ପରିବ୍ୟାପ୍ତ ଥାଏ ବୋଲି କହିଛନ୍ତି IMD ଡିଜି। ଏଥିସହ ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ର ତୀବ୍ରତା ଫଣୀଠାରୁ କମ୍ ରହିବ । ତେଣୁ ଏହା ଫଣୀଠାରୁ କମ୍ ମାତ୍ର ବୁଲବୁଲଠାରୁ ଅଧିକ ତୀବ୍ର ହେବ ବୋଲି ଆକଳନ କରାଯାଉଛି।
ଆହୁରି ପଢ଼ନ୍ତୁ
ବାତ୍ୟାର ପ୍ରଭାବ ସମ୍ପର୍କରେ କହିବାକୁ ଯାଇ IMD ଡିଜି କହିଛନ୍ତି, ୧୮ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ। ୧୯ରୁ ବର୍ଷା, ପବନ ବଢ଼ିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୯ ତାରିଖ ସକାଳେ ୪୫ରୁ ୫୫ କି.ମି. ବେଗରେ ପବନ ହେବ। ୧୯ ତାରିଖ ସନ୍ଧ୍ୟାରୁ ୨୦ ତାରିଖ ଯାଏ ୭୫ରୁ ୮୫ କି.ମି. ବେଗରେ ପବନ ବହିବ।
ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।