ଆରଏସ୍ଏସ୍ର ତ୍ରିସ୍ତରୀୟ ଷ୍ଟ୍ରାଟେଜୀ, କୁଟୁମ୍ବ ଶାଖା ଜରିଆରେ ଯୋଡ଼ିହେଲେ ମହିଳା ଏବଂ ଶିଶୁ


ଜୟପୁର: ଲକ୍ଡାଉନ୍ରେ ଜୀବନ ସ୍ଥାଣୁ ପାଲଟିଯାଇଛି। ଏହି ସମୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ୩ ସ୍ତରରେ ନିଜ ସାଂଗଠନିକ କାର୍ଯ୍ୟ ଜାରି ରଖିଛି। ଏହି ୩ଟି କାର୍ଯ୍ୟ ହେଉଛି ସେବା, ପରିବାର ମିଳନ ଏବଂ ଅନ୍ଲାଇନ୍ ଓ ଫୋନ୍ ଯୋଗେ ସମ୍ପର୍କ କରି ଲୋକଙ୍କୁ ସହାୟତା କରିବା।
ଆରଏସ୍ଏସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସ୍ୱୟଂସେବକମାନେ ପରିବାର ଶାଖା ଜରିଆରେ ମହିଳା ଏବଂ ଶିଶୁଙ୍କୁ ସଂଘ ବିଚାର ସହ ପରିଚିତ କରାଉଛନ୍ତି। ଦିନକୁ ଦୁଇ ଥର ଥରେ ସକାଳେ ଏବଂ ଥରେ ସନ୍ଧ୍ୟାରେ ପରିବାରରେ ପ୍ରାର୍ଥନା ଜରିଆରେ ଆୟୋଜିତ ଏଭଳି ଶାଖାକୁ କୁଟୁମ୍ବ ଶାଖା କୁହାଯାଉଛି। ବିଶେଷ କରି ରାଜସ୍ଥାନରେ ଏଭଳି ପ୍ରୟାସ ଆରମ୍ଭ କରିଛି ସଂଘ।
ଆହୁରି ପଢ଼ନ୍ତୁ
ରାଜସ୍ଥାନର ଜୟପୁର, ଚିତ୍ତୌର ଏବଂ ଯୋଧପୁରରୁ ୪,୩୨, ୩୨୬ ଜଣ ନୂଆ ସଦସ୍ୟ ଆର୍ଏସ୍ଏସ୍ ଶାଖାରେ ଯୋଗ ଦେଇଛନ୍ତି। ଜୟପୁରରେ ୮୪୭ ସ୍ଥାନରେ ଏଭଳି ଶାଖା ଆରମ୍ଭ ହୋଇଥିବାବେଳେ ଏଥିରେ ୩,୭୮୫ ମହିଳା ଯୋଗ ଦେଉଛନ୍ତି। ଲକ୍ଡାଉନ୍ରେ ସାମାଜିକ ଦୂରତା ଶାଖା କାର୍ଯ୍ୟରେ ପରିପନ୍ଥୀ ସାଜିଥିବାବେଳେ କୁଟୁମ୍ବ ଶାଖା ଏହାର ସମାଧାନ ପାଲଟିଛି। ଏମାନେ ଶାଖା ଲଗାଇବା ସହ ସେବା କାର୍ଯ୍ୟରେ ଯୋଗ ଦେଉଛନ୍ତି।
ପୂର୍ବରୁ ମହିଳାମାନେ ଯଦିଓ ଆରଏସ୍ଏସ୍ର କାମରେ ସାମିଲ ହେଉଥିଲେ, ଶାଖାରେ ଯୋଗଦେବାର ପ୍ରଥା ନଥିଲା। ଲକ୍ଡାଉନ୍ କାରଣରରୁ ଏହା ବର୍ତ୍ତମାନ ସମ୍ଭବପର ହୋଇପାରିଛି। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସଂଘ ସ୍ୱୟଂସେବକ କାମ ବନ୍ଦ କରିନଥିଲେ ଏବଂ ବର୍ତ୍ତମାନ କରୋନା ସମୟରେ ବିଭିନ୍ନ ସେବା କାର୍ଯ୍ୟରେ ଯୋଗ ଦେଉଛନ୍ତି।