ନ୍ୟୁଜ୍ରାଜ୍ୟ

ବାଉନ୍ସର ରଖିପାରିବେନି ମଦ ବାର, ନିର୍ଦ୍ଦେଶ ଜାରି କଲା କମିଶନରେଟ ପୁଲିସ

ସତ୍ୟଶିଖା(ଭୁବନେଶ୍ୱର )୦୨.୧୧ .୨୦୨୧:  ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମଦ ବାରରେ ବେଆଇନ କାର୍ଯ୍ୟ ଚାଲିଥିବାବେଳେ କମିଶନରେଟ ପୁଲିସ ଆଜି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ମଦ ବାରଗୁଡ଼ିକରେ ଘରୋଇ ସୁରକ୍ଷାକର୍ମୀ ବା ବାଉନ୍ସର ରହିପାରିବେ ନାହିଁ। ଆବଶ୍ୟକ ପଡ଼ିଲେ କେବଳ ପଞ୍ଜିକୃତ ସଂସ୍ଥାର ସିକ୍ୟୁରିଟି ଗାର୍ଡଙ୍କୁ ବାରରେ ମୁତୟନ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି କଟକ ଓ ଭୁବନେଶ୍ୱର କମିଶନରେଟ ପୁଲିସ ଅଂଚଳର ସମସ୍ତ ବାର ମାଲିକଙ୍କ ନିମନ୍ତେ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯାହାକି ଆସନ୍ତାକାଲିଠୁ ଚଳିତବର୍ଷ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ବାର ମାଲିକମାନେ ନିଜ ବାରରେ କୌଣସି ବ୍ୟକ୍ତିଙ୍କୁ ବାଉନ୍ସର ଭାବେ ନିଯୁକ୍ତି ଦେଇପାରିବେ ନାହିଁ। ଡିସିପିଙ୍କ ବିନା ଅନୁମତିରେ କୌଣସି ଘରୋଇ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିବେ ନାହିଁ।

ସେହିପରି ବାର ମାଲିକ ଚାହିଁଲେ ଯେକୌଣସି ବ୍ୟକ୍ତିଙ୍କୁ ଘରୋଇ ସୁରକ୍ଷା କର୍ମୀ ଭାବେ ନିଯୁକ୍ତି ଦେଇପାରିବେ, କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ପଞ୍ଜିକୃତ ସିକ୍ୟୁରିଟି ସଂସ୍ଥାରୁ ଆସିଥିବା ଜରୁରୀ। ଯେଉଁ ସିକ୍ୟୁରିଟି ସଂସ୍ଥା କେବଳ ପିଏସଏସଆରଏ ଆକ୍ଟ ଦ୍ୱାରା ପଞ୍ଜିକୃତ ହୋଇଥିବ। ଯେଉଁମାନଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରିବେ ସେମାନଙ୍କ ସମ୍ପର୍କରେ ଲିଖିତ ଭାବେ ସ୍ଥାନୀୟ ଥାନାକୁ ବାରମାଲିକ ଅବଗତ କରାଇବେ। ସମ୍ପୃକ୍ତ ସୁରକ୍ଷାକର୍ମୀମାନେ କେବଳ ଆଇନ ଅନୁସାରେ କାର୍ଯ୍ୟ କରିବେ। ଯଦି କିଛି ସମସ୍ୟା ହୁଏ ସେମାନେ ସଙ୍ଗେସଙ୍ଗେ ୧୧୨କୁ ଫୋନ୍ କରି ପୁଲିସକୁ ଅବଗତ କରାଇବେ। କୌଣସି ପରିସ୍ଥିତିରେ ବି ଗ୍ରାହକଙ୍କ ମୌଳିକ ଅଧିକାର କ୍ଷୂଣ୍ଣ ହେଲାଭଳି କାର୍ଯ୍ୟ ସୁରକ୍ଷାକର୍ମୀ କରିବେ ନାହିଁ। ଏହି ସମସ୍ତ ନିର୍ଦ୍ଦେଶନାମା ନଭେମ୍ବର ୨ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନିୟମକୁ କେହି ଉଲ୍ଲଘଂନ କଲେ ସେମାନେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀର ବିଭିନ୍ନ ବାରରେ ବେଆଇନ ଭାବେ ଡ୍ୟାନ୍ସ ସହ ବିଳମ୍ବିତ ରାତ୍ରିପର୍ଯ୍ୟନ୍ତ ମଦ ଓ ନୃତ୍ୟର ଆସର ଚାଲୁଛି । ସାଉଥ ସିଟି ବାରରେ ମନୀଷ ଅନୁରାଗଙ୍କ ଝଗଡ଼ା ଓ ପରେ ତାଙ୍କର ହତ୍ୟା ପରେ କମିଶନରେଟ ପୁଲିସର ଚେତା ପଶିଛି ଓ ବାଉନ୍ସର ରଖିବା ଉପରେ କଟକଣା ଜାରି କରିଛି।

Show More
Back to top button