ରାଉରକେଲା (ପବନ ତିୱାରୀ): ରାଜ୍ୟ ବାହାରେ ଫେରୁଥିବା ଶ୍ରମିକ, ବିଦ୍ୟାର୍ଥୀ ଓ ଅନ୍ୟମାନଙ୍କ ପାଇଁ ସୁନ୍ଦରଗଡ଼ ବଗିଚାପଡା ଆଦର୍ଶ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ରାଜଗାଙ୍ଗପୁର ପୌରପାଳିକା ପକ୍ଷରୁ ଏଠାରେ ଖୋଲାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ପାଇଁ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ ସହାୟତା କରିଛି। ଆଜି ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିମାନେ ଏଠାରେ ୧୪ ରହିବେ।
ଆହୁରି ପଢ଼ନ୍ତୁ
ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ରାଉତରାୟ ଏନେଇ କହିଛନ୍ତି-“ରାଜଗାଙ୍ଗପୁରରେ ବର୍ତ୍ତମାନ ୬ଟି ସଂଗରୋଧ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଯେଉଁଠି ବେଡ଼, ଖାଦ୍ୟ, ପାଣି, ବିଜୁଳି ଓ ସାନିଟାଇଜେସନର ବ୍ୟବସ୍ଥା କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଓଡ଼ିଆଙ୍କ ଯତ୍ନ ଭଲ ଭାବରେ ନେବା ପାଇଁ ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛୁ। ସମଗ୍ର ବିଶ୍ୱ ଏକ ଭୟାନକ ସମୟ ଦେଇ ଗତି କରୁଛି। କରୋନା ଯୋଗୁଁ ଆଜି ସମସ୍ତେ ଆତଙ୍କିତ। କରୋନା ବିରୋଧ ଲଢେଇକୁ ଜିତିବାକୁ ହେଲେ ସରକାରଙ୍କ ସମସ୍ତ ନୀତି ନିୟମକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ସହିତ ଆମକୁ ଆମର ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ କରିବାକୁ ହେବ। ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ନିଜର ପରିବାର ଓ ଅଞ୍ଚଳର ଭଲ ପାଇଁ ସ୍ଥାନୀୟ ପ୍ରଶାସନର ସହଯୋଗ କରି ୧୪ ଦିନିଆ ସଙ୍ଗରୋଧ ନିୟମାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି। ଆଗାମୀ କିଛି ଦିନ ରାଜ୍ୟ ପାଇଁ ବେଶ ଜଟିଳ ରହିବ। ଏପରି ସମୟରେ ସ୍ଥାନୀୟ ଲୋକମାନେ ଘରେ ରହିବା ସହିତ ସାମାଜିକ ଦୂରୀକରଣ ମାନି ଚଳିବା ଉଚିତ। ବାହାରୁ ଆସୁଥିବା ସମସ୍ତ ଲୋକମାନଙ୍କ ପୌରପାଳିକାରେ ପଞ୍ଜିକରଣ କରିବାର ଆବଶ୍ୟକତା ରହିଛି।”