

ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୦୧/୨୦୨୧ : ସଂସଦ ଭବନ କ୍ୟାଣ୍ଟିନରେ ଆଉ ଶସ୍ତାରେ ଖାଦ୍ୟ ମିଳିବ ନାହିଁ । ଏଠାରେ ପ୍ରଚଳିତ ରିଆତି ବ୍ୟବସ୍ଥାକୁ ଆଗାମୀ ବଜେଟ ଅଧିବେଶନଠାରୁ ବନ୍ଦ କରିଦିଆଯିବା ପାଇଁ ସଂସଦ ସଚିବାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହି ପଦକ୍ଷେପ ଦ୍ୱାରା ସଂସଦ ପରିଚାଳନା ବାବଦ ଖର୍ଚ୍ଚରୁ ୮କୋଟି ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି । ଏତଦ୍ବ୍ୟତୀତ ପୂର୍ବରୁ କ୍ୟାଣ୍ଟିନ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତର ରେଳବାଇକୁ ଅବ୍ୟାହତି ଦିଆଯିବା ସହ ଭାରତୀୟ ପର୍ୟ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି)କୁ ଏହା ପ୍ରଦାନ କରାଯାଇଛି । କ୍ୟାଣ୍ଟିନରେ ଆଗକୁ ଖାଦ୍ୟର ମୂଲ୍ୟ କେତେ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ; କିନ୍ତୁ ରିଆତି ବ୍ୟବସ୍ଥା ହଟିବା ପରେ ସ୍ଵାଭାବିକ ଭାବେ ସାଂସଦଙ୍କ ପାଇଁ ଖାଦ୍ୟ ମହଙ୍ଗା ହେବ ।