ଆଜି ଗଡ଼ିଲାନି ବସ୍‌, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜିଦ୍‌ରେ ଅଟଳ ସଂଘ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟ ସରକାରଙ୍କ ଅନୁମତି ପରେ ଆଜିଠୁ ସିଟି ବସ୍‌ ଓ ଅଟୋ ଚଳାଚଳ ଆରମ୍ଭ ହୋଇଛି। କିନ୍ତୁ ଘରୋଇ ବସ୍‌ ମାଲିକ ସଂଘ ନିଜ ଜିଦ୍‌ରେ ଅଟଳ ଥିବା ଯୋଗୁ  ବସ୍‌ ସେବା ଆରମ୍ଭ ହୋଇପାରି ନାହିଁ।  ଏହାସତ୍ତ୍ୱେ ରାଜ୍ୟ ସରକାର ବସ୍‌ ମାଲିକ ସଂଘର ଦାବି ଓ ସମସ୍ୟା ପ୍ରତି ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନ ହେବା ପର୍ଯ୍ୟନ୍ତ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ‌ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। 

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେହେତୁ ଲକ୍‌ଡାଉନ୍‌ ଯୋଗୁଁ କର୍ମଚାରୀ ଅନୁପସ୍ଥିତ ଅଛନ୍ତି। ବସ୍ ଚାଲିବାରେ ଡେରି ହେଉଛି ।  ଘରୋଇ ବସ୍ ମାଲିକ ସଂଘର ଦାବି ଅନୁଯାୟୀ, ରୋଡ୍ ଟ୍ୟାକ୍ସ ଛାଡ଼ ପାଇଁ ପ୍ରକ୍ରିୟା ଚାଲିଛି । ଅନ୍ୟ ଦାବି ପ୍ରତି ମଧ୍ୟ ବିଚାର କରାଯାଉଛି । ବସ୍ ଚଳାଚଳ କଲେ ବସ୍‌ଷ୍ଟାଣ୍ଡକୁ ସାନିଟାଇଜ କରାଯିବ ।

ଆହୁରି ପଢ଼ନ୍ତୁ

ଏନେଇ ନିଜ ପ୍ରତିକ୍ରିୟା ରଖିଛି ଘରୋଇ ବସ୍ ମାଲିକ ସଂଘ।  ଆମକୁ ସରକାର ଆଲୋଚନା ପାଇଁ ଏଯାବତ ଡାକି ନାହାନ୍ତି। ଗାଡ଼ି ଠିକ୍ ନାହିଁ, ଷ୍ଟାଫ୍ ନାହାନ୍ତି, ଗାଡ଼ି ଚଳାଇବାକୁ ଆମେ ବର୍ତ୍ତମାନ ଅସମର୍ଥ। ଗତକାଲି ଏସ୍‌ଆରସି ଗଣମାଧ୍ୟମ ସମ୍ମୁଖରେ ବସ୍‌ରେ ଯେତିକି ସିଟ୍‌, ସେତିକି ଯାତ୍ରୀ ଯାତ୍ରା କରିପାରିବେ ବୋଲି କହିଥିଲେ। ହେଲେ ସିଟ୍ କ୍ଷମତା ବାଦ୍ ଯଦି ରାସ୍ତାରେ ଯାତ୍ରୀ ଉଠିବେ, ତାକୁ କିଏ ରୋକିବ ବୋଲି ମାଲିକ ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି।

ଏସବୁ ସମ୍ପର୍କରେ  ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବା ଉଚିତ। ସରକାର ଆମକୁ ଆଲୋଚନାକୁ ଡାକନ୍ତୁ। ଆମ ଭବିଷ୍ୟତ କଥା ସରକାର ବିଚାର କରନ୍ତୁ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଆମ ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି ନା ନାହିଁ ଆମେ ଜାଣିନୁ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ଗାଡ଼ି ଚାଲିବା ସମ୍ଭବ ନୁହେଁ ବୋଲି କୁହାଯାଇଛି।

[ad_2]
Exit mobile version