

ସତ୍ୟଶିଖା(ଭୁବନେଶ୍ଵର) ୧୦.୦୩.୨୦୨୧: ଏଥର ରବିବାର ଆଉ ପାଠ ପଢ଼ିବେନି ପିଲା। ଆସନ୍ତା ଏପ୍ରିଲ ମାସରୁ ଆଉ ହେବନି ରବିବାର କ୍ଲାସ। ସ୍କୁଲରେ ରବିବାର ପାଠପଢ଼ା ବନ୍ଦ ରହିବ ବୋଲି ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ଏପ୍ରିଲରୁ କେବଳ ରିଭିଜନ କ୍ଲାସ ଚାଲିବ। କୋର୍ସ ଶେଷ ହୋଇ ଆସିଲାଣି ତେଣୁ ରେଗୁଲାର କ୍ଲାସ ଆଉ ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ପୂର୍ବରୁ ରବିବାର ସ୍କୁଲରେ କ୍ଲାସ୍ କରାଯିବା ନେଇ କୁହାଯାଇଥିଲା । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ସ୍କୁଲ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଯାହା ଫଳରେ ରବିବାର ସ୍କୁଲରେ କ୍ଲାସ୍ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ରବିବାର ସ୍କୁଲଗୁଡିକରେ କ୍ଲାସ୍ କରାଯାଉଥିଲା ।