ରାଜ୍ୟ

ଅନ୍‌ଲାଇନ୍‌ରେ ମଦ ଅର୍ଡର କରି ଫସିଲେ ଯୁବକ, ଲୁଟ୍‌ ହୋଇଗଲା ୮୦ ହଜାର ଟଙ୍କା

ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ଲକ୍‌ଡାଉନ୍‌ରେ ଅନ୍‌ଲାଇନରେ ମଦ ମଗାଉଛନ୍ତି କି? ମିଛ ବିଜ୍ଞାପନର ମୋହରେ ପଡ଼ି ମଦ ପିଇବାକୁ ଆଶା ରଖିଛନ୍ତି କି? ହୁସିଆର୍ ! କାରଣଙ୍କ ପାଇଁ ଫାଶ ବସାଇଛନ୍ତି ସାଇବର୍ ଠକ। ରାଜଧାନୀରେ ଜଣେ ଯୁବକ ଅନ୍‌ଲାଇନ୍‌ରେ ମଦ ଅର୍ଡର କରି ଠକାମୀରେ ଶିକାର ହେବା ପରେ ଅବକାରୀ ବିଭାଗ, ଲୁଟ୍‌ରୁ ବର୍ତ୍ତିବା ପାଇଁ ବାଟ ବତାଇଲେ।

ଭୁବନେଶ୍ୱରର ଜଣେ ସଫ୍ଟେୱେୟାର ଇଞ୍ଜିନିୟର ଏଭଳି ଠକାମୀର ଶିକାର ହୋଇଛନ୍ତି। ସେ ଅନ୍‌ଲାଇନ୍‌ରେ ମଦ ବୁକ୍ କରିବାରୁ ଲୁଟେରା ତାଙ୍କଠାରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏକ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍‌ରୁ ମଦ ଦୋକାନର ବିଜ୍ଞାପନ ଦେଖି ପ୍ରଥମେ ୯୮୦ ଟଙ୍କା ଡିପୋଜିଟ୍ କରିବା ସହ ହୋମ୍ ଡେଲିଭରି ଅର୍ଡର କରିଥିଲେ ସେ। କିନ୍ତୁ ତାଙ୍କ ମୋବାଇଲ୍‌କୁ ଆସିଲା ଟ୍ରାନ୍ଞ୍ଜାକ୍ସନ ଫେଲ୍ ମେସେଜ୍। ଫୋନ୍ କରିବା ପରେ ରେଜିଷ୍ଟ୍ରେସନ ପାଇଁ ବିଳମ୍ବ ହୋଇଥିବା କହି ସାଇବର ଠକ ପଠାଇଥିଲା QR କୋଡ୍। ଯାହାକୁ ସ୍କାନ୍ କଲା କ୍ଷଣି କଟିଗଲା ୧୯ ହଜାର ଟଙ୍କା। ଏହାପରେ ପୁଣି ଇଞ୍ଜିନିୟର ଜଣକ ଫୋନ୍ କରିବା ପରେ ଭୁଆଁ ବୁଲାଇ ୪ ଥରରେ ଦୁର୍ବୃତ୍ତ ଲୁଟିନେଲା ୭୯ ହଜାର ୧୮୧ ଟଙ୍କା। ଏହା ସାଇବର ଠକେଇ ବୋଲି ଜାଣିବା ପରେ ସଫ୍ଟେୱେୟାର ଇଞ୍ଜିନିୟର ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

ସେହିଭଳି ରାଜଧାନୀରେ ଗତ କିଛି ଦିନ ତଳେ ଅନ୍‌ଲାଇନ୍‌ରେ ୯୫୦ ଟଙ୍କାର ମଦ ପାଇଁ ହୋମ୍‌ ଡେଲିଭର ଅର୍ଡର କରିଥିଲେ ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ବ୍ୟକ୍ତି। ହେଲେ ତାଙ୍କଠାରୁ ବି ଦୁର୍ବୃତ୍ତ ଲୁଟି ନେଇଥିଲେ ପ୍ରାୟ ୩୬ ହଜାର ଟଙ୍କା। ଆଉ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ତ ଯାଇଥିଲା ୧ ଲକ୍ଷ ୩୬ ହଜାର ୫ଶହ ଟଙ୍କା।

ଲୁଟେରାମାନେ ରାଜ୍ୟ ବାହାରେ ଥାଇ ବିଭିନ୍ନ ସୋଶାଲ୍ ମିଡିଆରେ ଓଡ଼ିଶା ଫୋନ୍ ନମ୍ବର ସହ ମିଥ୍ୟା ବିଜ୍ଞାପନ ଦେଉଛନ୍ତି। ସେମାନେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଛନ୍ତି, ତାହା କେଉଁ ମୃତ ବ୍ୟକ୍ତିଙ୍କର ନଚେତ୍ ଅନ୍ୟ କାହାର। ସେହି ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ପରେ ନିଜ ନେଟ୍ୱାର୍କରେ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ପଠାଇ ଦେଉଛନ୍ତି। ଫଳରେ ଏଭଳି ଅପରାଧ ଆଉ ଅପରାଧୀଙ୍କୁ ସହଜରେ ଟ୍ରାପ୍ କରିବା ପୁଲିସ ପାଇଁ ସମ୍ଭବ ହେଉନି।

ତେବେ ଏଭଳି ଅନ୍‌ଲାଇନ୍ ଲୁଟ୍‌ରୁ ବର୍ତ୍ତିବା ପାଇଁ ହେଲେ ଇଣ୍ଟରନେଟ୍‌ର କୌଣସି ସର୍ଚ୍ଚ ଇଞ୍ଜିନ କିମ୍ବା ସୋଶାଲ୍ ମିଡିଆର ମିଥ୍ୟା ବିଜ୍ଞାପନ ଦେଖି ମଦ ମଗାନ୍ତୁ ନାହିଁ। ମଦ ଡେଲିଭରି ପାଇଁ ଅନୁବନ୍ଧିତ ବ୍ୟାବସାୟିକ ସଂସ୍ଥା କିମ୍ବା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ OSBCLର ୱେବସାଇଟ୍‌କୁ ଯାଇ ମଦ ହୋମ୍ ଡେଲିଭରି ପାଇଁ ଅନ୍‌ଲାଇନ ଅର୍ଡର କରିବା ଉଚିତ ବୋଲି କହିଛନ୍ତି ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ପ୍ରସନ୍ନ ଆଚାର୍ଯ୍ୟ।

[ad_2]
Show More
Back to top button