ନ୍ୟୁଜ୍ରାଜ୍ୟ

ଚଳଚ୍ଚିତ୍ର ପୁରସ୍କାର ଚୟନ ମାମଲା : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ସତ୍ୟଶିଖା(କଟକ) ୧୧.୧୨.୨୦୨୧:   ଓଡ଼ିଆ  ଚଳଚ୍ଚିତ୍ର ପୁରସ୍କାର  ଚୟନ ବିରୋଧରେ ଆଗତ ମାମଲାରେ  ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଆବେଦନକାରୀ ‘ଛବିରାଣୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବବି ଇସ୍‌ଲାମ୍‌ଙ୍କ ତରଫରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଅରିନ୍ଦମ୍ ସିହ୍ନାଙ୍କ ଇଜିଲାସ୍ ରାଜ୍ୟ ସରକାରଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ସୂଚନାଥାଉକି ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିଯୁକ୍ତ  ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି ।

ଏଥିରେ ସେ ଦର୍ଶାଇଛନ୍ତି ଯେ ପୁରସ୍କାର ପାଇବା ନିମନ୍ତେ ସ୍ଥିରୀକୃତ  ଚଳଚ୍ଚିତ୍ରକୁ ବିଦେଶୀ ସିନେମା  ଅନୁକରଣରେ  କରାଯାଇଛି । ଚୟନ କମିଟି ଦ୍ୱାରା ପୁରସ୍କାର ପାଇବା ପାଇଁ ଯେଉଁ ଓଡ଼ିଆ ସିନେମାଗୁଡ଼ିକ ବିବେଚିତ ହୋଇଛି ସେ ସବୁ ସିନେମାକୁ ଅନ୍ୟ ସିନେମାରୁ ନକଲ କରାଯାଇଛି । ଏଭଳି ନକଲ ସିନେମାକୁ ପୁରସ୍କାର ନିମନ୍ତେ ଚୟନ କରିବା ଦ୍ୱାରା ଓଡ଼ିଆ ସିନେମାରୁ ମୌଳିକ କଥାବସ୍ତୁ ଦୂରେଇ ଯାଉଛି । ଏପରି ସିନେମାରେ ଓଡ଼ିଶାର ସଂସ୍କୃତି ଅଥବା ପରମ୍ପରାକୁ ଗୁରୁତ୍ୱ ଦିଆଯାଇନାହିଁ ।

ଫଳରେ ଓଡ଼ିଶାର କଳା, ସଂସ୍କୃତି ତଥା ଓଡିଶାର କଥାବସ୍ତକୁ ନେଇ ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ର ପୁରସ୍କାର ପାଇବା ପ୍ରକ୍ରିୟାରୁ ବାଦ୍ ପଡୁଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି । ସେହିପରି  ଚୟନ କମିଟିରେ  ବେଆଇନ ଭାବେ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ସ୍ଥାନିତ କରାଯାଇଛି । ଫଳରେ ସେମାନେ ତାଙ୍କ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି । ଏଣୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ପୁଣି ଥରେ କରିବାକୁ ହାଇକୋର୍ଟ ଆଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

ପ୍ରକାଶ ଯେ ୨୦୧୯-୨୦ ବର୍ଷ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ  ଓଡ଼ିଆ ସିନେମା ନିମନ୍ତେ ୨୭ଟି ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି । ଆସନ୍ତା ୧୪ ତାରିଖରେ ଏସବୁ ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ କରାଯିବ । ତେବେ  ପୁରସ୍କାର ଚୟନ ପ୍ରକ୍ରିୟା  ନିରପେକ୍ଷ ଭାବେ କରାଯାଇନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

Show More
Back to top button