ଅତିରିକ୍ତ ତହସିଲଦାରଙ୍କ ଆଗରୁ ଆର୍‌ଆଇ ଅଫିସ୍‌ରୁ ନେଇଗଲେ ପଲିଥିନ  

ଜଳେଶ୍ୱର(ଅଜିତ ଦାସ): ବାତ୍ୟା ‘ଅମ୍ଫାନ’ରେ କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ୍‌ ବଣ୍ଟନରେ ଅତିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତମାନେ ଆର୍‌ଆଇ ଅଫିସ୍‌ ଘେରାଉ କରିଥିଲେ। ଏପରିକି ଅତିରିକ୍ତ ତହସିଲଦାର ଓ ପୁଲିସ ଆଗରେ ଉତ୍ତ୍ୟକ୍ତ କ୍ଷତିଗ୍ରସ୍ତ ଲୋକମାନେ ଆର୍‌ଆଇ କବାଟ ଭାଙ୍ଗି ପଲିଥିନ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରୁ ଆସିଛି।

ଆହୁରି ପଢ଼ନ୍ତୁ

ବାତ୍ୟା ‘ଅମ୍ଫାନ’ରେ ଭୋଗରାଇ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ୍‌ ଯୋଗାଇବାର ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ରାଜସ୍ୱ ନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ନାଚିନ୍ଦା ରାଜସ୍ୱ ନିରୀକ୍ଷକ ମନୋଜ ମାରାଣ୍ଡି ପଲିଥିନ ବଣ୍ଟନ କରିବାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଯୋଗ୍ୟ ହିତାଧିକାରୀମାନେ ପଲିଥିନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତମାନେ ଆଜି ତାତିଥିଲେ। ସଂଘବଦ୍ଧ ହୋଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ସମ୍ପର୍କରେ ଖବର ପାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଓ ପୁଲିସ ଆର୍‌ଆଇ ଅଫିସ୍‌ରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୋକମାନେ ଅତିରିକ୍ତ ତହସିଲଦାର ଓ ପୁଲିସ ସମ୍ମୁଖରେ ପଲିଥିନ୍‌ ଧରି ଚମ୍ପଟ ମାରିଥିଲେ। ୨୦୦ରୁ ଅଧିକ ପିସ୍‌ ପଲିଥିନ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କମର୍ଦ୍ଦା ଥାନାରେ ଦୁଇଟି ପୃଥକ୍‌ ଏଫ୍‌ଆଇଆର୍‌ ହୋଇଛି।

[ad_2]
Exit mobile version